ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ଯୋଗ

ଏନସିଇଆରଟି ପକ୍ଷରୁ ଅନ୍‌ଲାଇନ୍‌ କୁଇଜ୍‌ ପ୍ରତିଯୋଗିତା
ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସାମିଲ ହୋଇପାରିବେ

ଭୁବନେଶ୍ବର : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନ ଜାତୀୟ ଶିକ୍ଷା, ଗବେଷଣା ଓ ତାଲିମ ପରିଷଦ(ଏନସିଇଆରଟି) ମାଧ୍ୟମରେ ସ୍କୁଲ ପାଠ୍ୟକ୍ରମରେ ଯୋଗକୁ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ଏନ୍‌ସିଇଆରଟି ପକ୍ଷରୁ ଯୋଗ ବିଷୟ ଉପରେ ଏକ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ସୁସ୍ଥ ଜୀବନଚର୍ଯ୍ୟା ସମ୍ପର୍କରେ ପ୍ରସ୍ତୁତ ହୋଇଥିବା ଏହି ପାଠ୍ୟକ୍ରମ ଉଚ୍ଚ ପ୍ରାଥମିକଠାରୁ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଉଦ୍ଦିଷ୍ଟ। ପିଲାଙ୍କ ପାଇଁ ଯେଉଁ ବିକଳ୍ପ ପାଠ୍ୟକ୍ରମ କ୍ୟାଲେଣ୍ଡର୍‌ କରାଯାଇଛି, ସେଥିରେ ଏହା ଅନ୍ତର୍ଭୁକ୍ତ ହୋଇଛି।

୨୦୧୬ରୁ ଅନୁଷ୍ଠିତ ହେଉଥିବା ଯୋଗ ଅଲମ୍ପିଆଡ୍‌ ଏବର୍ଷ କରୋନା ଯୋଗୁଁ ଆୟୋଜନ କରିବାରେ ଅସୁବିଧା ସୃଷ୍ଟି ହୋଇଛି। ତେଣୁ ପିଲାଙ୍କୁ ଘରେ ନିରାପଦରେ ରହି ଯୋଗ ଶିଖିବା ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ସୋସିଆଲ ମିଡିଆରେ ଅନଲାଇନ ଯୋଗ କୁଇଜ ପ୍ରତିଯୋଗିତାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଏଭଳି ପ୍ରତିଯୋଗିତା ଆୟୋଜନ କରି ପିଲାମାନଙ୍କୁ ବିଭିନ୍ନ ପ୍ରକାର ଯୋଗାଭ୍ୟାସ ସମ୍ପର୍କରେ ଉତ୍ସାହିତ କରିବା। ଏହି କାର୍ଯ୍ୟକ୍ରମ ଦ୍ୱାରା ପିଲାଙ୍କ ମଧ୍ୟରେ ଯୋଗ ପ୍ରତି ଆଗ୍ରହ ବଢ଼ିବ। ସେମାନେ ଜୀବନର ବିଭିନ୍ନ କ୍ଷେତ୍ରରେ ଭବିଷ୍ୟତରେ ଏହାକୁ ପ୍ରୟୋଗ କରିବାର କଳା ଶିଖିବେ। ଏହି ଲକ୍ଷ୍ୟରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଭଳି ପ୍ରତିଯୋଗିତା ପିଲାଙ୍କ ଜୀବନଚର୍ଯ୍ୟା ଓ ଅଭ୍ୟାସକୁ ଶୃଙ୍ଖଳିତ କରିବା ସହ ସେମାନଙ୍କ ଆବେଗ ଓ ମାନସିକ ସ୍ଥିତି ନିୟନ୍ତ୍ରଣ‌ରେ ସହାୟକ ହେବ।

ଶ୍ରୀ ପୋଖରିଆଲ କହିଛନ୍ତି ଯେ ସତକର୍ମ/କ୍ରିୟା, ଆସନ, ପ୍ରାଣାୟମ, ଧ୍ୟାନ, ବନ୍ଧ ଓ ମୁଦ୍ରା ଭଳି ଯୋଗର ବିଭିନ୍ନ ଅଭ୍ୟାସ ଉପରେ ଏହି କୁଇଜ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଦେଶର ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଏହି କୁଇଜ୍‌ ପ୍ରତିଯୋଗିତା ଉନ୍ମୁକ୍ତ। ସ୍ୱତନ୍ତ୍ର ଆବଶ୍ୟକତା ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଯୋଗିତାରେ ଭାଗ ନେବାକୁ ଅଲଗା ବ୍ୟବସ୍ଥା ହୋଇଛି। ସେମାନଙ୍କ ପାଇଁ ଆବଶ୍ୟକସ୍ଥଳେ ଲିଖିତ ପ୍ରଶ୍ନଗୁଡ଼ିକୁ ଅଡିଓ ବାର୍ତ୍ତାରେ ପରିଣତ କରିବାର ବ୍ୟବସ୍ଥା ହୋଇଛି। ଏହି ପ୍ରତିଯୋଗିତାରେ ଉତ୍ତରଭିତ୍ତିକ (ମଲ୍‌ଟିପୁଲ ଚଏସ୍‌) ବର୍ଗର ପ୍ରଶ୍ନ ପଡ଼ିବ। ହିନ୍ଦୀ ଓ ଇଂରାଜୀରେ ଏହା ପ୍ରସ୍ତୁତ କରାଯାଇଛି। ଛାତ୍ରଛାତ୍ରୀ ଚାହିଁଲେ ନିଜ ଇଚ୍ଛା ଅନୁସାରେ ଯେକୌଣସି ଭାଷାରେ ଉତ୍ତର ଦେଇପାରିବେ। ସର୍ବାଧିକ ନମ୍ବର ରଖିଥିବା ଶହେ ଛାତ୍ରଛାତ୍ରୀଙ୍କୁ ମେରିଟ୍‌ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ଏନ୍‌ସିଇଆରଟି ୱେବ୍‌ସାଇଟ୍‌ ‘ncert.nic.in’ରେ ଏହି ପ୍ରତିଯୋଗିତାର ସମସ୍ତ କାର୍ଯ୍ୟକ୍ରମ ଅପଲୋଡ୍‌ ହୋଇସାରିଛି। ଜୁନ୍‌ ୨୧ରୁ ଜୁଲାଇ ୨୦ ପର୍ଯ୍ୟନ୍ତ ଏକ ମାସ ଧରି ଏହି ପ୍ରତିଯୋଗିତା ଚାଲିବ।

ସମ୍ବନ୍ଧିତ ଖବର