ସତ୍ୟାନନ୍ଦ ଯୋଗ ବିଦ୍ୟାଳୟ ପକ୍ଷରୁ ଯୋଗ ପ୍ରଶିକ୍ଷଣ
ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟ ପକ୍ଷରୁ ଆସନ୍ତା ମେ ଏକ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁକୁଳ ଯୋଗ ଶିକ୍ଷା ଶିବିର ଆୟୋଜିତ ହେଉଛି। ଏହା ସହ ଆସନ୍ତା ମେ ଏକ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଏକ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ମଧ୍ୟ ଏଠାରେ ଆୟୋଜିତ ହେବ। ଗୁରୁକୁଳ ଯୋଗ ଶିକ୍ଷା ଶିବିରରେ ଯୋଗ ଦେବାକୁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ବୟସ ୮ରୁ ୧୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଶିବିରରେ ମୁଖ୍ୟତଃ ଯୋଗ (ଆସନ, ପ୍ରାଣାୟାମ, ମୁଦ୍ରା, ବନ୍ଧ, ଯୋଗ ନିଦ୍ରା,ଧ୍ୟାନ) ଓ ଚିତ୍ରାଙ୍କନ ଆଦି ବିଷୟରେ ତାଲିମ ଦିଆଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରତିଦିନ ଅପରାହ୍ନ ୪ଟା ୩୦ରୁ ସଂଧ୍ୟା ୮ଟା ୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୋଗ ଶିକ୍ଷାର ଆଦର ବଢ଼ାଇବା ସହିତ ସ୍ମରଣ ଶକ୍ତି ତଥା ମନର ସ୍ଥିରତା ଓ ଏକାଗ୍ରତା ବୃଦ୍ଧି ଏବଂ ବ୍ୟକ୍ତିତ୍ବ ବିକାଶ ନିମନ୍ତେ ଶିକ୍ଷା ଦିଆଯିବ। ସେହି ପରି ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିରରେ ଆସନ, ପ୍ରାଣାୟାମ, ମୁଦ୍ରା, ବନ୍ଧ ଓ ଷଟକର୍ମ ସହିତ ବିଭିନ୍ନ ରୋଗର ସବିଶେଷ ଯୋଗ ଉପଚାର ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରାଯିବ। ଏହା ଦ୍ବାରା ଜଣେ ବ୍ୟକ୍ତି ନିଜକୁ ଦକ୍ଷ ଯୋଗ ଶିକ୍ଷକ ଭାବେ ଗଢ଼ିପାରିେବ। ଏଥି ପାଇଁ ବିଦ୍ୟାଳୟରେ ଆବାସିକ ବ୍ୟବସ୍ଥା ଓ ପାଠାଗାର ସୁବିଧା ରହିଛି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଯୋଗ ବିଦ୍ୟାଳୟ ତରଫରୁ ଆତ୍ମନିଯୁକ୍ତି ପାଇଁ ସହାୟତା ଯୋଗାଇ ଦିଆଯିବ।
ଶିବିରରେ ସୁଯୋଗ ନେବାକୁ ଚାହୁଁଥିବା ଇଚ୍ଛୁକ ବ୍ୟକ୍ତି ଓ ଛାତ୍ରଛାତ୍ରୀଙ୍କ ଅଭିଭାବକ ଅଧିକ ବିବରଣୀ ପାଇଁ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟ କାର୍ଯ୍ୟାଳୟ, ଏ୬/୨, ଜୟଦେବ ବିହାର କିମ୍ବା ଫୋନ ନମ୍ବର: ୦୬୭୪ ୨୫୪୨୪୭୮, ୯୦୪୦୨୪୮୯୬୦ ସହ ଯୋଗାଯୋଗ କରିବାକୁ ଯୋଗ ବିଦ୍ୟାଳୟର ନିର୍ଦ୍ଦେଶକ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀ ଅନୁରୋଧ କରିଛନ୍ତି।