ସୁନ୍ଦରଗଡ଼: ଗାଁ, ଗାଁରେ ନିର୍ବାଚନୀ ସଭା, ଘରେ ଘରେ ଭୋଟରଙ୍କୁ ଭେଟି ଭୋଟ ମାଗୁଛନ୍ତି ସୁନ୍ଦରଗଡ଼ ବିଧାନସଭା ପ୍ରାର୍ଥୀ ଯୋଗେଶ କୁମାର ସିଂ। ନିର୍ବାଚନମଣ୍ଡଳୀରେ ପ୍ରଚାର ଜୋର୍ ଧରିଥିବାବେଳେ ଯୋଗେଶଙ୍କ ବିଜୟ ସଂକଳ୍ପ ନେଇ ଏବେ ମଇଦାନକୁ ଓହ୍ଲାଇଛନ୍ତି ଦୁଇ ବରିଷ୍ଠ ନେତା ତଳସରାର ପୂର୍ବତନ ବିଧାୟକ ଡ. ପ୍ରଫୁଲ୍ଲ ମାଝୀ ଓ ପ୍ରଫୁଲ୍ଲ ସୁନ୍ୟାନୀ। ଶନିବାର ଟାଙ୍ଗରପାଲି ବ୍ଲକର ବିଭିନ୍ନ ଗାଁରେ ଆୟୋଜିତ ପ୍ରଚାର ସଭାରେ ଦୁଇ ନେତା ସାମିଲ ହୋଇ ନବୀନଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରି ଯୋଗେଶଙ୍କ ବିଜୟ ପାଇଁ ସଂକଳ୍ପ ନେବାକୁ ଭୋଟରଙ୍କୁ ଆହ୍ବାନ ଜଣାଇଥିଲେ। ତସଲାଡିହି ପଞ୍ଚାୟତର କାଲୋବାହାଲରେ ଆୟୋଜିତ ସମାବେଶରେ ଯୋଗେଶଙ୍କ ସହ ଦୁଇ ବରିଷ୍ଠ ନେତା ପ୍ରଫୁଲ୍ଲ ଓ ଯୁବ ନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କୁ ଲୋକେ ସ୍ବାଗତ ଜଣାଇଥିଲେ।

Advertisment

publive-image

ସଭାରେ ଦୁଇ ନେତା ବକ୍ତବ୍ୟ ରଖି ଦଳମତ ନିର୍ବିଶେଷରେ ସମସ୍ତଙ୍କ ନିକଟତର ହୋଇଥିବା ଯୋଗେଶ ଓ ଲୋକସଭା ପ୍ରାର୍ଥୀ ମାଟିର ଗୌରବ ଡ. ଦିଲୀପ ତିର୍କିଙ୍କୁ ଇଭିଏମରେ ଶଂଖ ଚିହ୍ନରେ ବଟନ ଟିପି ଜିତାଇବାକୁ ଅନୁରୋଧ କରିଥିଲେ। ଯୁବ ନେତା ଡ. ଷଡ଼ଙ୍ଗୀ ‘ମେ କୋଡ଼ିଏ, ଶଂଖ ଯୋଡ଼ିଏ’ ନାରା ଦେଇଥିଲେ। ଭୋଟରଙ୍କ ହୁଳହୁଳି ଓ ଜିନ୍ଦାବାଦରେ ସଭାସ୍ଥଳ କମ୍ପି ଉଠିଥିଲା। ତେବେ ତଳସରା କ୍ଷେତ୍ର ଛାଡ଼ି ଡ. ମାଝୀ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରରେ ଯୋଗେଶଙ୍କ ପ୍ରଚାର କରିବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ପ୍ରଚାରରେ ଦୁଇ ପ୍ରଫୁଲ୍ଲ ସାମିଲ ହେବା ପରେ ବିଜେଡି ଶିବିରରେ ବେଶ ଉତ୍ସାହ ପ୍ରକାଶ ପାଇଥିବା ବେଳେ ଭୋଟର ମଧ୍ୟ ପ୍ରଭାବିତ ହେଉଥିବା ବିଜେଡି ଦାବି କରିଛି। ଶ୍ରୀ ସିଂ ଓ ଦଳର କର୍ମକର୍ତ୍ତା, ସମର୍ଥକ ଶନିବାର ଦିନ ତମାମ ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ଉଜ୍ବଳପୁର ପଞ୍ଚାୟତର ନୂଆମୁଣ୍ଡା, ଟାଙ୍ଗରପାଲିବସ୍ତି, ମହୁଲପାଲି ପଞ୍ଚାୟତର କେନାପାଲି ମୁଣ୍ଡାପଡ଼ା, ମହୁଲପାଲି ପଞ୍ଚାୟତର ବନ୍ଧପାଲି ମଝିପଡ଼ା, ସଦରଛକ, ତସଲାଡିହି ପଞ୍ଚାୟତର କାଲୋବାହାଲ, ରତନପୁର ପଞ୍ଚାୟତା ଢବାଖୋଲ, ଲାଲଢିପା, ଫଗୁଆପଡ଼ା, ସାନପତ୍ରାପାଲି ପଞ୍ଚାୟତର ସୁନାଜୋର, ଲଇକେରାଠାରେ ପ୍ରଚାର କାର୍ଯ୍ୟକ୍ରମ କରି ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ବିଜୟୀ କରି ବିକାଶ ପୁରୁଷ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ରାଜ୍ୟର ନେତୃତ୍ବ ଦେବାକୁ ଆହ୍ବାନ ଜଣାଇଥିଲେ। ପ୍ରଚାରରେ ଜିଲ୍ଲା ପରିଷଦ ସଭାପତି କୁନ୍ତୀ ପ୍ରଧାନ, ବ୍ଲକ ସଭାପତି ଶୋଭନ ଦାସ, ସୀତାକାନ୍ତ ପଟେଲ, ପ୍ରଫୁଲ୍ଲ ମାଝୀ, କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।