କଟକ: ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଓଡ଼ିଶା ହାଇକୋର୍ଟ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କର ସଭ୍ୟପଦ ରଦ୍ଦ କରିଛନ୍ତି। ଫଳରେ ଶ୍ରୀ ସିଂ ଓଡ଼ିଶା ବିଧାନସଭାରେ ତାଙ୍କର ସଦସ୍ୟତା ହରାଇବେ। ନିର୍ବାଚନ ସମୟରେ ସତ୍ୟପାଠ ଦାଖଲ ସମୟରେ ଜାଲ୍‌ ଜାତିଗତ ପ୍ରମାଣ ପତ୍ର ଦେଇଥିବାରୁ ମାନ୍ୟବର ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି।

Advertisment

୨୦୧୪ ସାଧାରଣ ନିର୍ବାଚନ ସମୟରେ ସେ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହି ସମୟରେ ସେ ନିଜକୁ ଭୂୟାଁ ଜାତିର ବୋଲି ଦର୍ଶାଇ ନିର୍ବାଚନ କମିସନ୍‌ଙ୍କ ନିକଟରେ ସତ୍ୟପାଠ ଦାଖଲ କରିଥିଲେ। ଏହାପରେ ସେ ସୁନ୍ଦରଗଡ଼ ସଂରକ୍ଷିତ ଆସନରୁ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜୁ ଜନତା ଦଳର କୁସୁମ୍‌ ଟେଟେଙ୍କୁ ପରାଜିତ କରି ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଏହାପରେ ଶ୍ରୀ ସିଂଙ୍କର ଦୁଇ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର କୁସୁମ୍‌ ଟେଟେ ଓ ବିଜେପିର ସହଦେବ ଖାଖା ଭୁଲ ଜାତିଗତ ପ୍ରମାଣ ପତ୍ର ଦାଖଲ କରିଥିବା ନେଇ ତାଙ୍କ ବିରୋଧରେ ମାନ୍ୟବର ହାଇକୋର୍ଟଙ୍କ ଠାରେ ଦୁଇଟି ମାମଲା ରୁଜୁ କରି ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ଆବେଦନ କରିଥିଲେ । ଏହାର ବିଚାର କରି ହାଇକୋର୍ଟ ମଙ୍ଗଳବାର ଯୋଗେଶଙ୍କ ସଭ୍ୟପଦ ରଦ୍ଦ କରିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଯୋଗେଶ ସିଂ କହିଛନ୍ତି କି ତାଙ୍କର ନ୍ୟାୟପାଳିକା ଉପରେ ଭରସା ରହିଛି। ସେ ଏହି ରାୟ ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ କରିବେ।