ଗୋଳନ୍ଥରା : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପିର ତାରକା ପ୍ରଚାରକ ଯୋଗୀ ଆଦିତ୍ୟନାଥଙ୍କ ବ୍ରହ୍ମପୁର ଓ ଫୁଲବାଣୀ କାର୍ଯ୍ୟକ୍ରମ ଆଜି ଶେଷ ମୁହୂର୍ତରେ ବାତିଲ ହୋଇଯାଇଛି। ଅପରାହ୍ନରେ ତାଙ୍କର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲେ ମଧ୍ୟ ସେ ସନ୍ଧ୍ୟା ବେଳେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଂଚିଥିଲେ। କିନ୍ତୁ ତାଙ୍କ ହେଲିକପଟରରେ ନାଇଟ୍ ଭିଜନ ବ୍ୟବସ୍ଥା ନଥିବାରୁ ଓୁରକ୍ଷା ଦୃଷ୍ଟିରୁ ଉଡ଼ାଣ ପାଇଁ ଅନୁମତି ମିଳିନଥିଲା।
ଯୋଗୀଙ୍କ କାର୍ଯ୍ୟକ୍ରମ ପାଇଁ ବ୍ରହ୍ମପୁର ବିବେକ ବିହାର ପଡ଼ିଆରେ ଅତ୍ୟାଧୁନିକ ଟେଣ୍ଟ ପକା ଯାଇଥିଲା। ସଭାସ୍ଥଳରେ ଉପସ୍ଥିତ ଲୋକଙ୍କୁ ଝୁମାଇବା ଲାଗି ସାଂସ୍କୃତିକ କାର୍ଯ୍ୟକ୍ରମର ବି ଆୟୋଜନ ହୋଇଥିଲା। ଅପରାହ୍ନ ୨ଟା ବେଳେ ସଭାସ୍ଥଳ ଖଚାଖଚ୍ ହୋଇ ଯାଇଥିଲା। ଅପରାହ୍ନ ୪ଟା ବେଳକୁ ସଭାସ୍ଥଳ ଖାଲି ହୋଇ ଯାଇଥିଲା। ଶେଷରେ ଯୋଗୀଙ୍କ କାର୍ଯ୍ୟକ୍ରମ ବାତିଲ ହେଲା ବୋଲି ସନ୍ଧ୍ୟା ୫ଟାରେ ଘୋଷଣା କରା ଯାଇଥିଲା।
ମୋବାଇଲ୍ ଭାଷଣରେ ପ୍ରାର୍ଥୀଙ୍କ ପାଇଁ ଭୋଟ ନିବେଦନ କଲେ
ଫୁଲବାଣୀ : କନ୍ଧମାଳ ଲୋକସଭା ଓ ବିଧାନସଭା ବିଜେପି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସକାଳ କନ୍ଧମାଳ ଆସିବାର ଥିଲା। ପ୍ରଥମେ ସକାଳ ୧୧ଟା ୪୫ ପରେ ୧୨ଟା ୪୫ରେ ଯୋଗୀ ପହଞ୍ଚିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା। ସକାଳ ୧୧ଟା ସୁଦ୍ଧା ଫୁଲବାଣୀରେ ହଜାରହଜାର କର୍ମୀ ପହଞ୍ଚି ଯାଇଥିଲେ। ଯୋଗୀ ୨ଟା ୧୫ରେ ଆସିବେ ବୋଲି ପୁଣି କୁହାଗଲା। ଶେଷରେ ୫ଟା ୩୦ରେ ଅନିବାର୍ଯ୍ୟକାରଣରୁ ଯୋଗୀ ଆସି ପାରୁ ନାହାନ୍ତି ବୋଲି ଦଳ ପକ୍ଷରୁ ଘୋଷଣା କରାଗଲା।
ପରେ ଯୋଗୀ ମୋବାଇଲରେ ଭାଷଣ ମାଧ୍ୟମରେ ପ୍ରଥମେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଏବଂ କଂଗ୍ରେସ ଓ ବିଜେଡି ସରକାର ବିରୋଧରେ କହିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟରେ ସ୍ଥିର ସରକାର ପାଇଁ ଦଳୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ। ଲୋକସଭା ପ୍ରାର୍ଥୀ ଖାରବେଳ ସ୍ବାଇଁ, ଫୁଲବାଣୀ ବିଧାନସଭା ପ୍ରାର୍ଥୀ ଦେବନାରାୟଣ ପ୍ରଧାନ, ବାଲିଗୁଡା ବିଧାନସଭା ପ୍ରାର୍ଥୀ କରେନ୍ଦ୍ର ମାଝି, ଘୁ.ଉଦୟଗିରି ବିଧାନସଭା ପ୍ରାର୍ଥୀ ଅର୍ଚ୍ଚନା ପ୍ରଧାନ, ଦଳ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା, ବରିଷ୍ଠ ନେତା ଭଗବାନ ମହାନ୍ତି, ନେତ୍ର ମାନସେଠ, କମଳାକାନ୍ତ ପାଣ୍ଡେ, ତପନ କୁମାର ପାତ୍ର, ବସନ୍ତ କୁମାର ପ୍ରଧାନ, ରାମବିଶି ଦିଗାଲଙ୍କ ସମେତ ବହୁ ନେତା ଓ କାର୍ଯ୍ୟକର୍ତ୍ତା ଭାଷଣ ଦେଇ କଂଗ୍ରେସ ଓ ବିଜେଡି ସରକାର ବିରୋଧରେ ବର୍ଷିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Yogi-Adityanath-addressing-rally-via-telephone-784x441-750x430.jpg)