ଭୁବନେଶ୍ୱର: ଦେଶରେ ବୁଲଡୋଜର୍ ବାବା ଭାବେ ପରିଚିତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା ୨୩ତାରିଖରେ ଓଡ଼ିଶାରେ ପ୍ରଚାର ମଇଦାନକୁ ଓହ୍ଲାଇବେ। ଓଡ଼ିଶାରେ ଯୋଗୀଙ୍କ କ୍ରେଜ୍ ବଢ଼ୁଥିବା ଦେଖି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ତାଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ବିଜେପି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଯୋଗୀ ୨୩ ତାରିଖ ପୂର୍ବାହ୍ନ ୧୦.୧୫ରେ ଚିଲିକା ନିର୍ବାଚନମଣ୍ଡଳୀର ବାଣପୁରଠାରେ ଏବଂ ପୂର୍ବାହ୍ନ ୧୧.୩୦ରେ ମାହାଙ୍ଗା ନିର୍ବାଚନମଣ୍ଡଲୀର କୁଳିଆ ମାର୍କେଟ ପଡ଼ିଆରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ବୋଲି ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।
ଚିଲିକା ଓ ମାହାଙ୍ଗାରେ ପ୍ରଚାର କରିବେ
ନଡ୍ଡା, ହିମନ୍ତ ବିଶ୍ବଶର୍ମା ପୁଣି ଓଡ଼ିଶା ଆସିବେ
ଅରୁଣ ଗୋଭିଲ୍ ବି ପ୍ରଚାର କରିବେ
ସେହିପରି ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ୨୩ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ପୂର୍ବାହ୍ନ ୧୧ଟାରେ କରଞ୍ଜିଆ, ମଧ୍ୟାହ୍ନ ୧୨ଟା ୩୦ରେ ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳି, ଅପରାହ୍ନ ୧ଟା ୩୦ରେ ବଡ଼ଚଣା ଏବଂ ଅପରାହ୍ନ ୩ଟା ୩୦ରେ ବାଲିକୁଦା ନିର୍ବାଚନମଣ୍ଡଳୀର ଏରସମାଠାରେ ଜନସଭାକୁ ସମ୍ବୋଧନ କରିବେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ଭାଷଣ ଲୋକଙ୍କୁ ଆକର୍ଷିତ କରୁଥିବାରୁ ସେ ପୁଣି ଓଡ଼ିଶାରେ ପ୍ରଚାର କରିବେ। ହିମନ୍ତ ଆସନ୍ତାକାଲି ସମ୍ବଲପୁରରେ ମା’ ସମଲେଇଙ୍କ ଦର୍ଶନ କରିବା ପରେ ସ୍ବର୍ଗତଃ ବେଜବରୁଆଙ୍କ ଜନ୍ମସ୍ଥାନକୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ଏହାପରେ ଦେବଗଡ଼ରେ ପୂର୍ବାହ୍ନ ୧୦ଟା ୩୦ରେ ରୋଡ୍ ସୋ’ କରିବେ। ଅପରାହ୍ନ ୧ଟା ୩୦ରେ ଚମ୍ପୁଆ ନିର୍ବାଚନମଣ୍ଡଳୀର ବଡ଼ବିଲ, ଅପରାହ୍ନ ୩ଟାରେ ଚୌଦ୍ବାର, ୪ଟାରେ ବଡ଼ମ୍ବାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧିତ କରିବେ। ରାମାୟଣ ଧାରାବାହିକରେ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ଆସନ୍ତାକାଲି ଓଡ଼ିଶାରେ ପ୍ରଚାର ମଇଦାନକୁ ଓହ୍ଲାଇବେ। ପୂର୍ବାହ୍ନ ୧୦ଟା ୪୫ରେ ଚମ୍ପୁଆରେ, ମଧ୍ୟାହ୍ନ ୧୨ଟା ୧୫ରେ ତେଲକୋଇରେ ଜନସଭାକୁ ସମ୍ବୋଧନ କରିବେ। ଅପରାହ୍ନ ୧ଟା ୩୦ରେ ଢେଙ୍କାନାଳରେ ଅନୁଷ୍ଠିତ ରୋଡ୍ ସୋ’ରେ ଯୋଗଦେବେ। ଅପରାହ୍ନ ୩ଟାରେ ଜୟଦେବ ନିର୍ବାଚନମଣ୍ଡଳୀର ଗୋରୁହାଟ ପଡ଼ିଆରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧିତ କରିବେ।