ତଳସ୍ତରରେ କର୍ମଚାରୀ ଅଭାବ, ଯୋଜନା କାର୍ଯ୍ୟକାରୀ କରିବାରେ ବିଳମ୍ବ

୪୦ ବର୍ଷ ଧରି ସମୀକ୍ଷା ହୋଇନି ସଚିବାଳୟ ସେବା କ୍ୟାଡର୍

ଭୁବନେଶ୍ବର: ରାଜ୍ୟରେ କେହି ଭୋକିଲା ରହିବେ ନାହିଁ। ସ୍ବାସ୍ଥ୍ୟସେବାରୁ କେହି ବି ବଞ୍ଚିତ ହେବେ ନାହିଁ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ମାଳମାଳ ଯୋଜନା ଖଞ୍ଜିଛନ୍ତି। ସାଧାରଣ ଲୋକଟିର କିଛି ବି ଅସୁବିଧା ନ ହୁଏ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପଞ୍ଚମ ପାଳିରେ ୫ ‘ଟି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି। ଅଥଚ ଲୋକସେବା ଭବନ ଯେଉଁଠି ଯୋଜନା ପ୍ରସ୍ତୁତ ହେଉଛି, ସେଠି ତଳସ୍ତରରେ କର୍ମଚାରୀ ଅଭାବ ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବାରେ ବିଳମ୍ବ ଘଟାଉଛି। ସଚିବାଳୟ କ୍ୟାଡର ସେବା ପଦବି ୪୦ ବର୍ଷ ଧରି ସମୀକ୍ଷା ହୋଇନି। କର୍ମଚାରୀ ଅଭାବ ସରକାରଙ୍କ ପାଇଁ ଚିନ୍ତାର କାରଣ ହେଲାଣି। କେବଳ ବଡ଼ବଡ଼ିଆ ବାବୁଙ୍କ ସଂଖ୍ୟା ବୃଦ୍ଧି ପାଉଛି କିନ୍ତୁ ଯେଉଁଠି ମୂଳସ୍ତରରେ ଫାଇଲ ପ୍ରସ୍ତୁତ ହେଉଛି ସେଠି ଶତାଧିକ ପଦବି ଖାଲି ପଡ଼ିଛି। ତଥ୍ୟା ନେବାରେ ଜଣାପଡ଼ିଛି, ଓଡ଼ିଶା ସଚିବାଳୟ ସେବା ଓଡ଼ିଶା ମିନିଷ୍ଟରିଆଲ ମାନୁଆଲ୍ ବା (ଓଏମ୍ଏସ୍) ରୁଲ୍ ୧୯୫୧ ଅନୁଯାୟୀ ପରିଚାଳିତ ହୋଇଥାଏ। ଏହି ସେବାରେ ନିଯୁକ୍ତି ପାଇଥିବା କର୍ମଚାରୀ ରାଜ୍ୟ ସରାକରଙ୍କ ବଜେଟ୍ ପ୍ରସ୍ତୁତିଠୁ ଆରମ୍ଭ କରି ବିଧେୟକ, ରୁଲ୍, ନୀତି, ଯୋଜନା, ପ୍ରଶାସନିକ କାର୍ଯ୍ୟ, ଭାରତ ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା, ରୁଲ୍‌ ସମୂହ ବ୍ୟାଖ୍ୟା କରିବା ଏବଂ ଯୋଜନା ଲାଗୁ ହେବା ନେଇ ସରକାରଙ୍କୁ ସହାୟତା କରିଥାନ୍ତି। ଏଥିପାଇଁ ଏଏସ୍‌ଓ, ଏସ୍‌ଓ, ଡେସ୍କ ଅଫିସର, ଅନୁସଚିବ, ଉପସଚିବ, ସ୍ବତନ୍ତ୍ର ଶାସନ ସଚିବ ଓ ଅତିରିକ୍ତ ଶାସନ ସଚିବ ପାହ୍ୟାର ଅଧିକାରୀ ପଦବି ସୃଷ୍ଟି କରାଯାଇଛି। ଗୋଟିଏ ବିଭାଗରେ କେତେ ସଂଖ୍ୟକ କର୍ମଚାରୀ ଆବଶ୍ୟକ ତାହା ସଚିବାଳୟ ବିଧିରେ ଉଲ୍ଲେଖ କରାଯାଇଛି। ବାର୍ଷିକ ପ୍ରତି ୧୨୫୦ଟି ଡାକ, ଚିଠି ଓ କେସ୍ ପାଇଁ ଜଣେ ଲେଖାଏଁ ଏଏସ୍‌ଓ ଆବଶ୍ୟକ। ସେହିଅନୁଯାୟୀ, ୨୦୦୦ ମସିହା ବେଳକୁ ସଚିବାଳୟରେ ୭୦୦ କନିଷ୍ଠ ସହାୟକ ଥିବାବେଳେ ବରିଷ୍ଠ ସହାୟକ ପଦବିରେ ୨୧୦୦ ଜଣ ଥିଲେ। ସେହିପରି ଉପବିଭାଗ ଅଧିକାରୀଙ୍କଠୁ ଆରମ୍ଭ କରି ଅତିରିକ୍ତ ଶାସନ ସଚିବ ପର୍ଯ୍ୟନ୍ତ ୭୦୦ ଜଣ କର୍ମଚାରୀ ନିଯୁକ୍ତି ପାଇଥିଲେ। ସଚିବାଳୟ ସେବା କ୍ୟାଡରରେ ମୋଟ୍ ୩ ହଜାର ୫୦୦ କର୍ମଚାରୀ କାର୍ଯ୍ୟ କରୁଥିଲେ।

୩,୫୦୦ କର୍ମଚାରୀଙ୍କ ସ୍ଥାନରେ ଅଛନ୍ତି ୨,୯୨୦
ଗତ ୫ ବର୍ଷ ଭିତରେ ମାତ୍ର ୮୮ଟି ପଦବି ସୃଷ୍ଟି
ଖର୍ଚ୍ଚକାଟ ପାଇଁ ୭୦୦ କନିଷ୍ଠ ସହାୟକ ପଦବି ଉଚ୍ଛେଦ

୨୦୦୨-୦୩ରେ ରାଜ୍ୟ ରାଜକୋଷ ଉପରୁ ଆର୍ଥିକ ବୋଝ କମାଇବା ପାଇଁ ସରକାର ଖର୍ଚ୍ଚକାଟ ନିଷ୍ପତ୍ତି ନେଲେ। ଆଉ ୭୦୦ କନିଷ୍ଠ ସହାୟକ ମୂଳ ପଦବିର ଉଚ୍ଛେଦ ହେଲା। ଗତ ୫ ବର୍ଷ ଭିତରେ ମାତ୍ର ୮୮ଟି ନୂଆ ପଦବି ସୃଷ୍ଟି କରାଯାଇଛି। ଏସବୁ ମିଶି ବର୍ତ୍ତମାନ ଏଏସ୍‌ଓ ପଦବି ସଂଖ୍ୟା ୧୫୪୪ ଥିବାବେଳେ ଏସ୍‌ଓ ୭୦୦, ଡେସ୍କ ଅଫିସର ୩୨୫, ଅନୁସଚିବ ୨୫୧, ଉପସଚିବ ୭୦, ଯୁଗ୍ମ ଶାସନ ସଚିବ ୨୨ ଓ ଅତିରିକ୍ତ ଶାସନ ସଚିବ ପାହ୍ୟାରେ ୮ଟି ଏପରି ମୋଟ ୨୯୨୦ଟି ପଦବି ରହିଛି। କୌତୂହଳର କଥା ହେଉଛି, ବିଭାଗୀୟ ସଚିବାଳୟ ସେବା କ୍ୟାଡର୍ ବ୍ୟବସ୍ଥା ଉଠାଇ ୧୯୭୯ ମସିହାରେ ଗୃହ ବିଭାଗ ଅଧୀନରେ କର୍ମଚାରୀଙ୍କ ପାଇଁ କମନ୍ କ୍ୟାଡର ବ୍ୟବସ୍ଥା କରାଗଲା। ଫଳରେ ଜଣେ କର୍ମଚାରୀ ନିଯୁକ୍ତି ପାଇଥିବା ମୂଳ ବିଭାଗରେ ନ ରହି ଅନ୍ତଃବିଭାଗୀୟ ବଦଳି ବ୍ୟବସ୍ଥାରେ ସବୁ ବିଭାଗରେ କାର୍ଯ୍ୟ କରିବାର ଅନୁଭୂତି ପାଇଲେ। ୧୯୯୪ ମସିହାରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ରାଜ୍ୟର ୧୩ଟି ଜିଲ୍ଲାକୁ ୩୦ଟି ଜିଲ୍ଲାରେ ପରିଣତ କରାଗଲା। ଜିଲ୍ଲା ସଂଖ୍ୟା ବଢ଼ିବା ସହିତ ତହସିଲ, ବ୍ଲକ୍, ସ୍କୁଲ, କଲେଜ୍, ବିଶ୍ବବିଦ୍ୟାଳୟ, ହସ୍ପିଟାଲ୍, ନିର୍ଦ୍ଦେଶାଳୟ, ଯୋଜନା, ଜନସଂଖ୍ୟା ତୁଳନାରେ କାର୍ଯ୍ୟଭାର ବୃଦ୍ଧି ପାଇଛି। ଅଥଚ ଏଥିପାଇଁ ତଳସ୍ତରରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ଖାଲି ସେତିକି ନୁହେଁ, ସଚିବାଳୟ ସେବା କ୍ୟାଡରର ସମୀକ୍ଷା ନିୟମିତ ବ୍ୟବଧାନରେ ହୋଇଥିଲେ ତଳସ୍ତରରେ ପଦବି ବଢ଼ିଥାନ୍ତା ଓ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାନ୍ତା। ତା’ ସାଙ୍ଗକୁ ବରିଷ୍ଠ କର୍ମଚାରୀଙ୍କ ପାଇଁ ପର୍ଯ୍ୟାପ୍ତ ପଦୋନ୍ନତି ସୁବିଧା ବି ମିଳିପାରିଥାନ୍ତା। ଓଏସ୍ଏସ୍ କ୍ୟାଡର କର୍ମଚାରୀ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇବାର ସୁଯୋଗ ଥିଲେ ବି ଅଧିକାଂଶ କ୍ଷେତ୍ରରେ ଏସ୍‌ଓ କିମ୍ବା ଡିଓ ସେମାନଙ୍କ ଚାକିରି କାଳ ଭିତରେ ଗୋଟିଏ କିମ୍ବା ଦୁଇଟି ପଦୋନ୍ନତି ପାଇ ଅବସର ନେଉଛନ୍ତି ବୋଲି ଅଭିଯୋଗ ହେଉଛି। ଗତ ୧୦ ବର୍ଷ ଭିତରେ ୬୫୪ଟି ଏଏସ୍‌ଓ ପଦବି ଉଚ୍ଛେଦ କରାଯାଇ ସେ ସ୍ଥାନରେ ସେତିକିଟି ଏସ୍‌ଓ, ଡିଓ, ଅନୁସଚିବ ଓ ଉପସଚିବ ପଦବି ସୃଷ୍ଟି କରାଯାଇଛି।
ପ୍ରଶାସନିକ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। କିନ୍ତୁ କର୍ମଚାରୀ ଅଭାବ ପୂରଣ କରିବାରେ ସରକାରଙ୍କ ସାଧାରଣ ପ୍ରଶାସନ ଓ ଗୃହ ବିଭାଗର ଦୃଷ୍ଟି ପଡ଼ୁନି ତାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। କେଉଁ ବିଭାଗରେ କେତେ ସଂଖ୍ୟକ କର୍ମଚାରୀ ଆବଶ୍ୟକ ସେ ନେଇ ଏକ କମିଟି ଗଠନ କରି ଅନୁଧ୍ୟାନ କରିବାକୁ କର୍ମଚାରୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର