ରାଉରକେଲା: ଏଟିଏମ୍‌ କାଉଣ୍ଟରେ ସାହାଯ୍ୟ କରିବା ଆଳରେ ଠକେଇ କରିଥିବା ଜଣେ ଅଭିଯୁକ୍ତକୁ ମହଙ୍ଗା ପଡିଛି। ରାଉରକେଲା ପ୍ରଥମଶ୍ରେଣୀ ବିଚାରପତି ଉମାକାନ୍ତ ବେହେରା ଅଭିଯୁକ୍ତକୁ ୩ ବର୍ଷ ଜେଲ ସହ ୮ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୪ ମାସ ଜେଲ୍‌ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ହେଲେ ପ୍ରମୋଦ କୁମାର ସାମଲ। ସରକାରଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ ସାହୁ ମାମଲା ପରିଚାଳନା କରୁଥିଲେ। ଛେଣ୍ଡକଲୋନିରେ ସରୋଜ କୁମାର ପଟ୍ଟନାୟକ ରହନ୍ତି। ଗତ ୨୦୨୨ ସେପ୍ଟେମ୍ବର୨୭ରେ ସେକ୍ଟର-୧୯ସ୍ଥ ଇସ୍ପାତ ମାର୍କେଟର ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଉଠାଇବାକୁ ଯାଇଥିଲେ। ଏଟିଏମ୍‌ ମେସିନ୍‌ରେ କାର୍ଡ ଇନ୍‌ସର୍ଟ କରିଥିଲେ। ମାତ୍ର ଡିସ୍‌ପ୍ଲେରେ କିଛି ଦେଖାଯାଇ ନଥିଲା।

Advertisment

ଦ୍ବିତୀୟ ଥର ପୁଣି ଏଟିଏମ୍‌ କାର୍ଡ ଇନ୍‌ସର୍ଟ କରିଥିଲେ। ଅଭିଯୁକ୍ତ ପ୍ରମୋଦ ଏଟିଏମ୍‌ କାଉଣ୍ଟ‌ର ଭିତରେ ପଶି ସରୋଜକୁ ସାହାଯ୍ୟ କରିବାକୁ କହିଥିଲେ। ସରୋଜ ଏଟିଏମ୍‌ କାର୍ଡଟିକୁ ପ୍ରମୋଦକୁ ଧରାଇ ଦେଇଥିଲେ। ପ୍ରମୋଦ ଏଟିଏମ୍‌ ମେସିନ୍‌ରେ କାର୍ଡ ଇନ୍‌ସର୍ଟ କରିବା ପରେ ସରୋଜକୁ ପାସ୍‌ ଦେବାକୁ କହିଥିଲେ। ସରୋଜ ପାସ୍‌ ଦେବା ବେଳେ ପ୍ରମୋଦ ଦେଖିଦେଇଥିଲେ। ପ୍ରମୋଦ ମେସିନ୍‌ କାମ କରୁ ନାହିଁ ଆଳ ଦେଖାଇ ସରୋଜଙ୍କୁ ଏଟିଏମ୍‌ କାର୍ଡ ଫେରାଇ ଦେଇଥିଲେ। ସରୋଜ ଏଟିଏମ୍‌ କାର୍ଡ ନେଇ ଅନ୍ୟ ଏଟିଏମ୍‌ କାଉଣ୍ଟକୁ ବାହାରି ଯାଇଥିଲେ। କିଛି ସମୟ ପରେ ସରୋଜ ପାସ୍‌ୱାର୍ଡକୁ ବ୍ୟବହାର କରି ୪୭ ହଜାର ୧୩୯ ଟଙ୍କା ଉଠାଇ ନେଇଥିଲେ।

ସରୋଜ ମେସେଜ୍‌ ପାଇବା ପରେ ସେକ୍ଟର-୧୯ ମୁଖ୍ୟ ଶାଖାକୁ ଯାଇ ଏଟିଏମ୍‌ କାର୍ଡକୁ ବ୍ଲକ କରିବା ସହ ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ ଏଟିଏମ୍‌ କାଉଣ୍ଟରରେ ଲାଗିଥିବା ସିସି ଫୁଟେଜ୍‌ ଆଧାରରେ ପ୍ରମୋଦ କୁମାର ସାମଲକୁ ଗିରଫ କୋର୍ଟ ଚାଲାଣ କରିଥିଲା। ପ୍ରମୋଦ ରାଉରକେଲା ପୂର୍ବରୁ ଚାନ୍ଦବାଲି ଓ ଆଳିରେ ଏମିତି ଲୋକଙ୍କୁ ଠକେଇ କରି ଜେଲ୍‌ ଯାଇଥିଲା। ଏମିତି ଲୋକଙ୍କ ଏଟିଏମ୍‌ କାର୍ଡ ବ୍ୟବହାର କରି ଠକି ନେଉଥିବା ଟଙ୍କାରେ ସୁନାଗହଣା କିଣୁଥିବା ପୁଲିସ ଆଗରେ ମଧ୍ୟ ସ୍ବୀକାର କରିଥିଲା।