ଯୁଗଳ ଯୋଶୀ ଆରପିଏଫ୍‌ର ପ୍ରମୁଖ ନିରାପତ୍ତା ଆୟୁକ୍ତ

ଭୁବନେଶ୍ବର: ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷା ବଳ(ଆରପିଏଫ୍‌)ର ନୂତନ ପ୍ରମୁଖ ନିରାପତ୍ତା ଆୟୁକ୍ତ ଭାବେ ଯୁଗଳ କିଶୋର ଯୋଶୀ ଯୋଗ ଦେଇଛନ୍ତି। ୧୯୯୭ର ଭାରତୀୟ ରେଳବାଇ ସୁରକ୍ଷା ବଳ ସେବା ଅଧିକାରୀ ଶ୍ରୀ ଯୋଶୀ ଏହା ପୂର୍ବରୁ ଜଳ ଶକ୍ତି ମନ୍ତ୍ରଣାଳୟର ସ୍ୱଚ୍ଛ ଭାରତ ମିସନ୍‌, ଜଳ ଜୀବନ ମିସନ୍‌ କାର୍ଯ୍ୟକ୍ରମ‌ରେ ନିର୍ଦ୍ଦେଶକ ଭାବେ ୨୦୧୬ରୁ ୨୦୨୨ ପର୍ଯ୍ୟନ୍ତ ଡେପୁଟେସନ୍‌ରେ ଥାଇ କାର୍ଯ୍ୟ ତୁଲାଉଥିଲେ। ବିଭିନ୍ନ ରେଳପଥରେ ଭିନ୍ନଭିନ୍ନ ପଦପଦବିରେ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିବା ସହ ସୁରକ୍ଷା ସମ୍ବନ୍ଧୀୟ ଅପରାଧ ଅନ୍ୱେଷଣ କ୍ଷେତ୍ରରେ ତାଙ୍କର ପ୍ରଗାଢ଼ ଦକ୍ଷତା ରହିଛି।

୨୦୧୪ରୁ ୨୦୧୬ ମଧ୍ୟରେ ରେଳବାଇ ବୋର୍ଡରେ ରେଳ ସୁରକ୍ଷାବଳ ନିର୍ଦ୍ଦେଶକ, ଉତ୍ତର ରେଳପଥର ଦିଲ୍ଲୀ ଓ ପୂର୍ବ ରେଳପଥର ହାଓଡ଼ା ରେଳମଣ୍ଡଳରେ ବରିଷ୍ଠ ମଣ୍ଡଳ ସୁରକ୍ଷା ଆୟୁକ୍ତ ଭାବେ କାର୍ଯ୍ୟ ତୁଲାଇଛନ୍ତି। ପୂର୍ବତଟ ରେଳପଥରେ ଉପମୁଖ୍ୟ ସୁରକ୍ଷା ଆୟୁକ୍ତ ଭାବେ ୨୦୦୮ରୁ ୨୦୧୧ ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିଛନ୍ତି। ୨୦୧୮ରେ ସାଧାରଣ ପ୍ରଶାସନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର, ୨୦୨୦ରେ ଭାରତୀୟ ପୁଲିସ ସେବା ପଦକ, ୨୦୧୩ରେ ଭାରତୀୟ ରେଳବାଇ ଜାତୀୟ ପୁରସ୍କାର, ୨୦୦୯ରେ ସିଙ୍ଗାପୁରସ୍ଥିତ ଜାତୀୟ ବିଶ୍ୱବିଦ୍ୟାଳୟରୁ ଲୋକ ପ୍ରଶାସନରେ ସ୍ନାତକୋତ୍ତର ଡିଗ୍ରି ଓ ୨୦୦୧ରେ ରେଳବାଇ ସୁରକ୍ଷା ବଳ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ଉଚ୍ଚ ପ୍ରଶସ୍ତି ଓ ସୂଚକ ଚିହ୍ନ ସହିତ ଅନେକଥର ସମ୍ମାନିତ ହୋଇଛନ୍ତି।

ସମ୍ବନ୍ଧିତ ଖବର