ଦ୍ରୌପଦୀ-ରାଜକିଶୋର…ସ୍ନେହ, ଆନୁଗତ୍ୟର ଏକ ଜ୍ବଳନ୍ତ ଦୃଷ୍ଟାନ୍ତ: ‘ମତେ ମହାନ୍‌ ବନାଇବାବାଲା ତ ଆପଣ’

ବାଲେଶ୍ବର, (ରୁଦ୍ରରଞ୍ଜନ ଶେଜପଡ଼ା): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପରି ଏକ ଛୋଟ ସହର ଏବେ ଚର୍ଚ୍ଚାରେ। ଏ ମାଟିର କନ୍ୟା ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦ୍ରୌପଦୀଙ୍କ ରାଜନୈତିକ ଜୀବନକୁ ନେଇ ଏବେ ବିଭିନ୍ନ ଗଣମାଧ୍ୟମରେ ଆଲୋଚନା ଚାଲିଛି। ଏ ପରିପ୍ରେକ୍ଷୀରେ ଦ୍ରୌପଦୀ ଓ ପୁରୁଖା ବିଜେପି ନେତା ତଥା ବର୍ତ୍ତମାନର ମୋରଡ଼ା ବିଜେଡି ବିଧାୟକ ରାଜକିଶୋର ଦାସଙ୍କ ମଧ୍ୟରେ ଥିବା ଅନୁକମ୍ପା ଓ ଆନୁଗତ୍ୟର ସଂପର୍କ କଥା ବି ସାମ୍‌ନାକୁ ଆସିଛି।

ଜୁନ୍ ୨୧ରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଏନ୍‌ଡିଏ ଦ୍ରୌପଦୀଙ୍କ ନାଁ ଘୋଷଣା କରିବା ପରେ ତାଙ୍କ ରାଇରଙ୍ଗପୁରସ୍ଥିତ ବାସଭବନକୁ ବହୁ ବିଶିଷ୍ଟ ଲୋକ ଓ ରାଜନେତାଙ୍କ ସୁଅ ଛୁଟିଥିଲା। ସେମାନଙ୍କ ମଧ୍ୟରେ ଥିଲେ ମୋରଡ଼ା ବିଜେଡି ବିଧାୟକ ରାଜକିଶୋର ଦାସ। ଦ୍ରୌପଦୀ ତାଙ୍କୁ ଛିଡ଼ା ହୋଇଥିବା ଦେଖି ବସାଇବାକୁ ବ୍ୟଗ୍ର ହୋଇ ପଡ଼ିଥିଲେ। ଭିଡ଼ ଭିତରେ କହିଥିଲେ, ‘ରାଜୁ ମୋ ସାନଭାଇ। ମୋ ହାତ ଧରି କେତେ କାମ ଶିଖାଇଛନ୍ତି। ମତେ ମହାନ୍‌ ବନାଇବାବାଲା ତ ଆପଣ।’ ଦ୍ରୌପଦୀଙ୍କ ମୁହଁରୁ ଏଭଳି କିଛି କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ରାଜକିଶୋର। ଏଭଳି ପ୍ରଶଂସା ପାଇଁ ସେ ହକ୍‌ଦାର ନୁହନ୍ତି ବୋଲି ଦର୍ଶାଇ ଏହା ଆପଣଙ୍କର ମହାନତା ବୋଲି ଦ୍ରୌପଦୀଙ୍କୁ କହିଥିଲେ। ଦୁହିଁଙ୍କ ବାର୍ତ୍ତାଳାପରୁ ଦ୍ରୌପଦୀ-ରାଜକିଶୋରଙ୍କ ମଧ୍ୟରେ ସ୍ନେହ, ଆନୁଗତ୍ୟ ଓ ଭାବଗତ ସଂପର୍କ ବେଶ୍‌ ବାରି ହୋଇ ପଡ଼ିଥିଲା।

୧୯୯୨ ମସିହାରେ ବିଜେପି ନେତା ରାଜକିଶୋର ଦାସ ରାଇରଙ୍ଗପୁର ଏନ୍‌ଏସିର ଅଧ୍ୟକ୍ଷ ଥିଲେ। ସେହିସମୟରେ ସେ ଦ୍ରୌପଦୀ ମୁର୍ମୁଙ୍କ ନିର୍ଭୀକ ବ୍ୟକ୍ତିତ୍ବ ଓ ସମାଜସେବା ବିଷୟରେ ଅବଗତ ହୋଇଥିଲେ। ୧୯୯୭ ମସିହା ‌ପୌର ନିର୍ବାଚନ ବେଳେ ରାଜକିଶୋର ଚାହିଁଥିଲେ ଦ୍ରୌପଦୀ ରାଜନୀତିକୁ ଆସନ୍ତୁ। ହେଲେ ସେ ରାଜି ହୋଇ ନଥିଲେ। ପରେ ଦ୍ରୌପଦୀ ଶିକ୍ଷକତା କରୁଥିବା ରାଇରଙ୍ଗପୁର ଅରବିନ୍ଦ ଶିକ୍ଷାକେନ୍ଦ୍ରର ଶିକ୍ଷକ ଦିବାକର ମହାନ୍ତଙ୍କ ମାଧ୍ୟମରେ ତାଙ୍କୁ ମନାଇବାକୁ ଉଦ୍ୟମ କରିଥିଲେ। ହେଲେ , ସେ ଉଦ୍ୟମ ବି ସଫଳ ହୋଇନଥିଲା। ଶେଷରେ ରାଜକିଶୋର ବ୍ୟକ୍ତିଗତ ଭାବେ ଦ୍ରୌପଦୀଙ୍କ ସହ କଥା ହେବା ପରେ ସେ ରାଜି ହୋଇଥିଲେ ଓ ରାଇରଙ୍ଗପୁର ଏନ୍‌ଏସିର ୨ ନମ୍ବର ୱାର୍ଡରୁ କାଉନ୍‌ସିଲର ଭାବେ ନିର୍ବାଚନ ଲଢ଼ି ଜିତିଥିଲେ। ପରେ ରାଜକିଶୋର ଅଧ୍ୟକ୍ଷ ଓ ଦ୍ରୌପଦୀ ଉପାଧ୍ୟକ୍ଷ ପଦରେ ବସିଥିଲେ। ଉପାଧ୍ୟକ୍ଷ ହେବାପରେ ଦ୍ରୌପଦୀଙ୍କ ମନୋବଳ ବଢ଼ିଥିଲା। ରାଜନୀତିରେ ଆଗକୁ ବଢ଼ିବା ଲାଗି ରାଜକିଶୋର ତାଙ୍କୁ ସଂପୂର୍ଣ୍ଣ ସ୍ବାଧୀନତା ଦେଇଥିଲେ। ଦ୍ରୌପଦୀ ପ୍ରତିଦିନ ସ୍କୁଟର ଚଳାଇ ଏନ୍‌ଏସିର ବିକାଶ କଥା ବୁଝୁଥିଲେ। ରାଜକିଶୋରଙ୍କ ପରାମର୍ଶ କ୍ରମେ ବିଜେପି ୨୦୦୦ ମସିହାରେ ଦ୍ରୌପଦୀଙ୍କୁ ରାଇରଙ୍ଗପୁର ବିଧାନସଭା ଆସନ ପାଇଁ ଟିକଟ୍‌ ଦେଲା। ଆଉ ସେ ନିର୍ବାଚନ‌ରେ ବିଜୟୀ ମଧ୍ୟ ହେଲେ। କେବଳ ବିଜୟୀ ହୋଇ ନଥିଲେ, ବିଜେଡି-ବିଜେପି ମେଣ୍ଟ ସରକାରରେ ୨୦୦୦ରୁ ୨୦୦୨ ଓ ୨୦୦୨ରୁ ୨୦୦୪ ଯାଏ ପୃଥକ୍‌ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ। ଦ୍ରୌପଦୀ ମନ୍ତ୍ରୀ ହେବାପଛରେ ବି କୁଆଡ଼େ ଥିଲା ରାଜକିଶୋରଙ୍କର ବଡ଼ ଭୂମିକା। ବ୍ୟକ୍ତିଗତ ଜୀବନରେ ମଧ୍ୟ ରାଜକିଶୋର ଦ୍ରୌପଦୀଙ୍କ ପାଖରେ ଛାଇ ହୋଇ ରହିଥିଲେ। ଯେତେବେଳେ ସ୍ବାମୀ ଓ ଦୁଇପୁଅଙ୍କ ମୃତ୍ୟୁ ହେଲା; ଦ୍ରୌପଦୀ ରାଜନୀତି ଛାଡ଼ିବାକୁ ବସିଥିଲେ। ହେଲେ, ରାଜକିଶୋର ତାହା କରାଇ ଦେଇନଥିଲେ। ତାଙ୍କ ସୁପାରିଶ କ୍ରମେ ଦ୍ରୌପଦୀଙ୍କୁ ପଶ୍ଚିମ ମୟୂରଭଞ୍ଜର ଜିଲ୍ଲା ସଭାପତି ଦାୟିତ୍ବ ଦିଆଯାଇଥିଲା। ଆଉ ତା’ପରେ ପଛକୁ ଫେରିନାହାନ୍ତି ଦ୍ରୌପଦୀ।

ଦ୍ରୌପଦୀଙ୍କର ସଂଘର୍ଷମୟ ଲମ୍ବା ରାଜନୈତିକ ଜୀବନ ପ୍ରସଙ୍ଗରେ ଭାବପ୍ରବଣଭରା ମନ୍ତବ୍ୟ ରଖିଛନ୍ତି ରାଜକିଶୋର। ଦ୍ରୌପଦୀଙ୍କ କର୍ମପ୍ରବଣତାକୁ ସେ ଭୂୟସୀ ପ୍ରଶଂସା କରିବା ସହ ତାଙ୍କ ସଫଳତା ପାଇଁ ସେ କେବଳ ଏକ ଛୋଟ ମାଧ୍ୟମ ଥିଲେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର