ରାଉରକେଲା: ପ୍ରାୟ ୪୫୦ ମିଟର ଲମ୍ବ ବେଦବ୍ୟାସ ଝୁଲା ପୋଲ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ୨୦୧୪ରେ ପ୍ରାୟ ୨୫କୋଟି ମଞ୍ଜୁର ହୋଇଥିଲା। ତତ୍କାଳୀନ ବିଜେଡି ସରକାର ଅନୁମତି ନ ଦେବାରୁ ଟଙ୍କା ପଡ଼ିରହି ଶେଷକୁ ଫେରିଗଲା। ନିକଟରେ ଅର୍ଥାତ୍ ଗତ ମାର୍ଚ୍ଚ ୨୯ରେ ରାଜ୍ୟ ଆଇନ, ରାସ୍ତା ଓ ଗୃହ ନିର୍ମାଣ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ରାଉରକେଲା ଗସ୍ତ ଅବସରରେ ବେଦବ୍ୟାସରେ ଅତ୍ୟାଧୁନିକ କାଚ ଝୁଲାପୋଲ ନିର୍ମାଣ କରିବାକୁ ଘୋଷଣା କଲେ। ଏ ବାବଦରେ ପ୍ରାୟ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା। ଘୋଷଣାକୁ ୬ ମାସ ବିତିଗଲା। ନିର୍ମାଣ ପାଇଁ ଇଟା ଖଣ୍ଡିଏ ବି ପଡ଼ିଲାନି। ଏବେ ସୁରକ୍ଷା ଦୃଷ୍ଟିରୁ ସରକାର ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି। କାଚପୋଲ ପରିବର୍ତ୍ତେ ନିର୍ମାଣ ହେବ ପାଦଚଲା କଂକ୍ରିଟ୍ ବ୍ରିଜ୍। ହଠାତ୍ ସରକାରଙ୍କ ଏଭଳି ନିଷ୍ପତ୍ତି ପ୍ରଚାରିତ ହେବା ପରେ ସହରର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବେଦବ୍ୟାସ ପୀଠ ବିକାଶ ମଞ୍ଚର ସାଧାରଣ ସମ୍ପାଦକ ବିଭୂତି ଭୂଷଣ ଦାସ କହିଛନ୍ତି, ଯଦି ସରକାର ଏଭଳି କରନ୍ତି, ମଞ୍ଚ ପକ୍ଷରୁ କଡ଼ା ବିରୋଧ କରାଯିବ। ସୁରକ୍ଷା ଦୃଷ୍ଟିରୁ ଯଦି ଏଭଳି ନିଷ୍ପତ୍ତି ନିଆଯାଉଛି, ତେବେ ଘୋଷଣା ପୂର୍ବରୁ ବିଭାଗୀୟ ମନ୍ତ୍ରୀ ସହରବାସୀଙ୍କୁ ଅତ୍ୟାଧୁନିକ କାଚପୋଲ ସଂକ୍ରାନ୍ତରେ ନ କହିଥିଲେ ଭଲ ହୋଇଥାନ୍ତା। ସରକାର ଝୁଲାପୋଲ ପ୍ରକଳ୍ପ ଉପରେ ପୁନର୍ବିଚାର କରି ଝୁଲାପୋଲକୁ ଦୃଶ୍ୟମାନ କରାଇବାରେ ନୀତିଗତ ନିଷ୍ପତ୍ତି ନିଅନ୍ତୁ। ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତି କହିଛନ୍ତି, ଏଭଳି ନିଷ୍ପତ୍ତି ସଂକ୍ରାନ୍ତରେ ସେ ଜାଣି ନାହାନ୍ତି। ବିଧାନସଭାରେ ତାଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ଖୁବ୍ଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ ବୋଲି କହିଥିଲେ।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୯ରେ ରାଉରକେଲା ଦିବସ ପାଳନ ଉତ୍ସବରେ ଆଇନ ଓ ନିର୍ମାଣ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବେଦବ୍ୟାସରେ ପ୍ରାୟ ୩୮ କୋଟିର ମୂଲ୍ୟର ଝୁଲନ୍ତା ପୋଲ, ରାଉରକେଲାରେ ଏକ ନୂତନ ରିଂରୋଡ୍ ଓ ରାଉରକେଲାରୁ ଜଳେଶ୍ୱର ପର୍ଯ୍ୟନ୍ତ ଏକ ଚାରି ଲେନ୍ ରାସ୍ତା ସମେତ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ।