ଜଟଣୀ: ଆଇଆଇଟି ଭୁବନେଶ୍ୱରକୁ ଗବେଷଣା ଓ ସୃଜନଶୀଳତାର ପେଣ୍ଠସ୍ଥଳୀ କରିବାକୁ ହେବ। ତେବେ ଯାଇ ଭାରତର ଅର୍ଥନୀତି ୫ରୁ ୭ଟ୍ରିଲିୟନ ଆମେରିକୀୟ ଡଲାର ହେବାର ଲକ୍ଷ୍ୟ ପୂରଣ ହୋଇପାରିବ। ଏହାଦ୍ୱାରା ଆଇଆଇଟି ଛାତ୍ରଛାତ୍ରୀମାନେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ନିଜର ଦାୟିତ୍ୱ ନିର୍ବାହ କରିପାରିବେ। ଆଇଆଇଟି ଭୁବନେଶ୍ୱରର ଛାତ୍ରଛାତ୍ରୀମାନେ ୨୦୩୬ ସୁଦ୍ଧା ଓଡ଼ିଶା ତଥା ୨୦୪୭ ସୁଦ୍ଧା ଦେଶର ଅଭିବୃଦ୍ଧି ପ୍ରକ୍ରିୟାକୁ ବଢ଼ାଇବା ପାଇଁ ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗୀ ଇକୋସିଷ୍ଟମ୍ ବୃଦ୍ଧି ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ଆଜି ଜଟଣୀସ୍ଥିତ ଆଇଆଇଟିର ଦ୍ୱାଦଶ ଓ ତ୍ରୟୋଦଶ ମିଳିତ ସମାବର୍ତ୍ତନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଇଆଇଟିର ବୋର୍ଡ ଅଫ୍ ଗଭର୍ନର୍ସର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବରେ ପରିଣତ ହୋଇଛି। ଆମ ଦେଶ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ତେଣୁ ଯେତେବେଳେ ଭାରତ ଅର୍ଥନୀତିର ସୁପର ପାଵାର ହେବାକୁ ଯାଉଛି, ସେତେବେଳେ ଆମକୁ ଚାକିରି ଉପରେ ନିର୍ଭର ନକରି ନିଯୁକ୍ତିଦାତା ହେବା ପାଇଁ ପଡ଼ିବ।
ଆଇଆଇଟିର ଦ୍ୱାଦଶ ଓ ତ୍ରୟୋଦଶ ମିଳିତ ସମାବର୍ତ୍ତନ ଉତ୍ସବ
ସମ୍ମାନିତ ଅତିଥିଭାବେ ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁଦ, ପରମାଣୁ ଶକ୍ତି ବିଭାଗର ଶକ୍ତି ଆୟୋଗ ତଥା ସଚିବ ଅଜିତ କୁମାର ମହାନ୍ତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଅଧ୍ୟକ୍ଷ ପ୍ରଫେସର ଅଭୟ କରଣ୍ଡିକର ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରମଲକର ସମାବର୍ତ୍ତନର ରିପୋର୍ଟ ଉପସ୍ଥାପନ କରି ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରି ପ୍ରଦାନ କରିଥିଲେ। ସମାବର୍ତ୍ତନ ସମାରୋହ ପରେ ମନ୍ତ୍ରୀ ସିଲିକନ୍ କାର୍ବାଇଡ୍ ଉପରେ ମହତ୍ତ୍ୱପୂର୍ଣ୍ଣ ଇଣ୍ଡଷ୍ଟ୍ରି-ଏକାଡେମୀ ରିସର୍ଚ୍ଚ ଏବଂ ଇନୋଭେସନ୍ ସେଣ୍ଟର ପରିଦର୍ଶନ କରି ସେମିକଣ୍ଡକ୍ଟର ଅନୁସନ୍ଧାନକାରୀଙ୍କ ସହ ଆଲୋଚନା କରିଥିଲେ। ସମାବର୍ତ୍ତନ ସମାରୋହରେ ପ୍ରତିଷ୍ଠାନ ପକ୍ଷରୁ ୧୩୮୮ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯାଇଥିଲା। ୨୦୨୨-୨୩ବର୍ଷ ପାଇଁ ସମସ୍ତ ବି.ଟେକ୍ ଛାତ୍ରମାନଙ୍କ ମଧ୍ୟରେ ଶ୍ରେଷ୍ଠ ଏକାଡେମିକ୍ ପ୍ରଦର୍ଶନ ପାଇଁ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂର ହର୍ଷ ସିଂ ଯାଦୋନଙ୍କୁ ଏବଂ ୨୦୨୩-୨୪ ବର୍ଷ ପାଇଁ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂର ଅର୍ଣ୍ଣବ କୁମାର ବେହେରାଙ୍କୁ ରାଷ୍ଟ୍ରପତି ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ଶେଷରେ ‘ଭାରତରେ ଅନୁସନ୍ଧାନର ଭବିଷ୍ୟତ ଏବଂ ଭବିଷ୍ୟତ ବିଷୟରେ ଅନୁସନ୍ଧାନ’ ଉପରେ ଏକ ପାରସ୍ପରିକ ଆଲୋଚନଭିତ୍ତିକ ବୈଠକ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/29/6I1679yN8q7PYQCOw2Uw.jpg)