ଭୁବନେଶ୍ବର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବ ଆଶ୍ବସ୍ତି। ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ସମୟରେ ବାୟୁମଣ୍ଡଳର ଉପରି ଭାଗରେ ଏକ ନିମ୍ନ ଚାପରେଖା ସୃଷ୍ଟି ହେବ। ବଙ୍ଗୋପସାଗର ମଧ୍ୟରେ ଏକ ସକ୍ରିୟ ଗୁରୁଚାପ ବଳୟ ଓଡ଼ିଶା ଉପକୂଳସ୍ଥ ହେବା ସହ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଯଥେଷ୍ଟ ମାତ୍ରାରେ ରାଜ୍ୟ ମଧ୍ୟକୁ ପ୍ରବେଶ କରିବ। ଏହି ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶୀଳ ହେବ ଏବଂ ନିମ୍ନଚାପ ରେଖାର ଉପସ୍ଥିତି ଏହି ପ୍ରକ୍ରିୟାକୁ ଆହୁରି ପ୍ରଶମିତ କରାଇବ। ଏଥିସହ ବିପଦଜନକ ବିଜୁଳି ଘଡ଼ଘଡ଼ି ସହ ଝଡ଼ପବନ, କୁଆପଥର ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ବାୟୁମଣ୍ଡଳର ଉପରି ଭାଗରେ ସୃଷ୍ଟି ହେବାକୁ ଥିବା ନିମ୍ନ ଚାପରେଖା ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ କାଳବୈଶାଖୀ ଦିନର ଯେକୌଣସି ସମୟରେ ସୃଷ୍ଟି ହୋଇପାରେ।
୨୩ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ
ପ୍ରଭାବିତ ହୋଇପାରେ ପନିପରିବା ଚାଷ
ଆଜି ବି ବୌଦ୍ଧ ତାପମାତ୍ରା ୪୩ଂ ଉପରେ
କାଳବୈଶାଖୀ ପ୍ରଭାବରେ ଉଦ୍ୟାନ କୃଷି ଯଥା କଦଳୀ, ସଜନା, ଅମୃତଭଣ୍ଡା ଗଛ ପ୍ରଭାବିତ ହେବା ସହ ଅମଳ ହେବାକୁ ଥିବା ପନିପରିବା ଚାଷ କୁଆପଥର ବର୍ଷାରେ ଯଥେଷ୍ଟ ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଶେଷକରି ଶକ୍ତିଶାଳୀ ବିଜୁଳି ଘଡ଼ଘଡ଼ି ପ୍ରଭାବରେ ଜମିରେ କାର୍ଯ୍ୟରତ ଚାଷୀ, ଖୋଲା ବୁଲୁଥିବା ଗୃହପାଳିତ ପଶୁ ପ୍ରଭାବିତ ହୋଇପାରନ୍ତି। ତେଣୁ ଅମଳକ୍ଷମ ହୋଇଥିବା ପନିପରିବାକୁ ଅମଳ କରି ନିରାପଦ ସ୍ଥାନରେ ଗଚ୍ଛିତ ରଖିବା, ପନିପରିବା ଚାଷ ଜମିରେ କୁଆପଥର ବର୍ଷାରୁ ରକ୍ଷା ପାଇଁ ଜାଲି ବ୍ୟବସ୍ଥା କରିବା, ଉଦ୍ୟାନ ଚାଷକୁ ପବନରୁ ରକ୍ଷା ପାଇଁ ପଦକ୍ଷେପ ଗ୍ରହଣ ଅତ୍ୟନ୍ତ ଜରୁରି। ବିଜୁଳି ଘଡ଼ଘଡ଼ି ସମୟରେ ନିଜକୁ ନିରାପଦ ସ୍ଥାନରେ ରଖିବାକୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ଅନୁଯାୟୀ ୧୯ ତାରିଖରେ କେନ୍ଦୁଝର ଓ ମୟୂରଭଞ୍ଜରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ। ୨୦ ତାରିଖ ସକାଳଠାରୁ ୨୧ ତାରିଖ ପୂର୍ବାହ୍ଣ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷାର ପ୍ରଭାବ ଅଧିକ ରହିବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୨୧ ତାରିଖ ପୂର୍ବାହ୍ଣରୁ ୨୨ ତାରିଖ ସକାଳ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ଝଡ଼ବର୍ଷାର ପ୍ରଭାବ ରହିବ। ପରବର୍ତ୍ତୀ ୨୪ ଘଣ୍ଟାରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ହୋଇପାରେ। ଏହି ସମୟରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ ଓ ଜଗତ୍ସିଂହପୁର ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ପଡ଼ିବ।
ଅନ୍ୟପକ୍ଷରେ ବୌଦ୍ଧ ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ସହରର ସର୍ବୋଚ୍ଚ ତାପମାତ୍ରା ଆଜି ହ୍ରାସ ପାଇଛି। ବୌଦ୍ଧ ଆଜି ମଧ୍ୟ ଦେଶର ଉତ୍ତପ୍ତ ସହରରେ ପରିଣତ ହୋଇଛି। ଏହାବ୍ୟତୀତ ବଲାଙ୍ଗୀରର ତାପମାତ୍ରା ୪୦.୪ ଡିଗ୍ରି ରହିଥିବା ବେଳେ ଅନ୍ୟ ସମସ୍ତ ସହରର ତାପମାତ୍ରା ୪୦ ଡିଗ୍ରି ତଳେ ରହିଥିଲା। ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରି କମିଥିବା ବେଳେ ପଶ୍ଚିମ ଓଡ଼ିଶାରେ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା ୫ ଦିନରେ ସର୍ବୋଚ୍ଚ ତାପମାତ୍ରା ଆହୁରି ୩ରୁ ୬ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।