ଅନୁଗୁଳ: ଜଣେ ଯୁବତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଯୁବ ବିଜେପିର ପୂର୍ବତନ ଅନୁଗୁଳ ଜିଲ୍ଲା ସଭାପତି ସୁଦୀପ୍ତ ସ୍ବାଇଁଙ୍କୁ ପୁଲିସ ଗିରଫ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣା ପରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ସୁଦୀପ୍ତଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଶୃଙ୍ଖଳା କମିଟିର ରାଜ୍ୟ ଆବାହକ ସୁଦର୍ଶନ ନାୟକ ସୂଚନା ଦେଇଛନ୍ତି।
ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ଜଣେ ଯୁବତୀ (୨୫) ଅନୁଗୁଳ ସହରରେ ଏକ ବ୍ୟାଙ୍କ୍ରେ କାମ କରୁଛନ୍ତି। ଜିଲ୍ଲା ବିଜେପି ସଂପାଦକ ତଥା ପୂର୍ବତନ ଯୁବ ସଭାପତି ସୁଦୀପ୍ତ ସ୍ୱାଇଁ ଯୁବତୀଙ୍କୁ ବିଭିନ୍ନ ସମୟରେ ହଇରାଣ କରି ଆସୁଥିଲେ। ଅଲଗା ଅଲଗା ମୋବାଇଲ ନମ୍ବରରୁ କଲ୍ କରି ତାଙ୍କୁ ଓ ତାଙ୍କ ପରିବାରରକୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଉଥିଲେ। ରାସ୍ତାରେ ଯିବା ସମୟରେ ଗାଡ଼ି ଅଟକାଇ ହାତ ଉଠାଉଥିଲେ। ଏପରିକି ଯୁବତୀ ଜଣଙ୍କ କାମ କରୁଥିବା ବ୍ୟାଙ୍କ୍କୁ ଆସି ବିଶୃଙ୍ଖଳା କରିବା ସହ ଯୁବତୀଙ୍କ ଘର ଆଗରେ ମାରଣାସ୍ତ୍ର ଧରି ଗଣ୍ଡଗୋଳ କରୁଥିଲେ ବୋଲି ଅଭିଯୋଗ ହୋଇଛି। ସୀମା ଅତିକ୍ରମ କରିବା ପରେ ଯୁବତୀ ଜଣଙ୍କ ଗତ ୧୬ ତାରିଖରେ ବନ୍ତଳା ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ପୁଲିସ ୨୫୯/୨୫ରେ ଏକ ମାମଲା ରୁଜୁ କରି ସୁଦୀପ୍ତଙ୍କୁ ବିଏନ୍ଏସ୍ ୨୯୬, ୩୫୧(୨) ଓ ୭୮ ଧାରାରେ ଗିରଫ କରି କୋର୍ଟ ଚାଲାଣ କରିଛି। ପୂର୍ବରୁ ସୁଦୀପ୍ତଙ୍କ ନାମରେ ଅନୁଗୁଳ ଓ ଅନୁଗୁଳ ସଦର ଥାନାରେ ଏକାଧିକ ମାମଲା ରହିଥିବା ପୁଲିସ କହିଛି।
ଅପରପକ୍ଷରେ ଏହି ଘଟଣାକୁ ନେଇ ରାଜନୀତି ତେଜିଛି। ଯୁବତୀ ଓ ମହିଳାଙ୍କୁ ନିର୍ଯାତନା ଦେବା ବିଜେପିର ପୁରୁଣା ଅଭ୍ୟାସ ବୋଲି କହିଛି କଂଗ୍ରେସ। ସେହିପରି ଅଭିଯୁକ୍ତଙ୍କ ମୋବାଇଲ ଫୋନ୍ ଯାଞ୍ଚ କଲେ ତାଙ୍କୁ କେଉଁ କେଉଁ ପ୍ରଭାବଶାଳୀ ବ୍ୟକ୍ତି ସହଯୋଗ କରୁଥିଲେ ଜଣାପଡ଼ିବ ବୋଲି ବିଜେଡି କହିଛି। ଏହି ମାମଲାରେ ଅଭିଯୁକ୍ତକୁ ସହଯୋଗ କରୁଥିବାର ପ୍ରମାଣ ଥିବାରୁ ଥାନା ଅଧିକାରୀଙ୍କ ବିରୋଧରେ ମଧ୍ୟ ଉଭୟ ଦଳ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।