ରାଉରକେଲା: ଦିନକୁ ଦିନ ଠକିବାର ତରିକା ବଦଳାଉଛନ୍ତି ସାଇବର ଠକ ଗ୍ୟାଙ୍ଗ । ରାତାରାତି ଲକ୍ଷପତି ଓ କୋଟିପତି ହେବାର ସ୍ବପ୍ନ ଦେଖାଇ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଯାହାର ଟେର୍‌ପାଉନି ସାଇବର ପୁଲିସ। ରାଉରକେଲା ସହରରେ ମାସକୁ ଜଣେ ଦୁଇଜଣ ସାଇବର ଠକାମିରେ ଶିକାର ହେଉଛନ୍ତି। ଏବେ ପୁଣି ସାଇବରଠକ ଗ୍ୟାଙ୍ଗ ପଞ୍ଝାରେ ପଡିଛନ୍ତି ରାଉରକେଲା ସାରନଗରୀ ରଙ୍ଗିଲାଛକର ଜଣେ ଯୁବ ବ୍ୟବସାୟୀ।

Advertisment

ଅନ୍‌ଲାଇନ ବ୍ୟବସାୟ ନାଁରେ କୋଟିପତି ହେବାର ଲୋଭଦେଖାଇ ଠକି ନେଇଛନ୍ତି ୩୨ ଲକ୍ଷ ୫୦ ହଜାର ଟଙ୍କା। ବାପା- ମା’ଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରି ଠକାମିର ଶିକାର ଯୁବ ବ୍ୟବସାୟୀ ରାଉରକେଲା ସାଇବର ଥାନାରେ ଲିଖିତ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସାରନଗରୀ ରଙ୍ଗିଲାଛକରେ ଯୁବବ୍ୟବସାୟୀଙ୍କ ଛୋଟ ଦୋକାନ ରହିଛି। ଦୈନିକ ରୋଜଗାର କରୁଥିବା ଅର୍ଥରେ ପରିବାର ପ୍ରତିପୋଷଣ କରୁଛନ୍ତି। ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ଯୁବବ୍ୟବସାୟୀଙ୍କୁ ଅଷ୍ଟ୍ରେଲିଆର ପ୍ରତିଷ୍ଠିତ ଅନ୍‌ଲାଇନ୍‌ ଟ୍ରେଡିଂ କମ୍ପାନୀ ‘ ହାର୍‌ଭେ ନର୍‌ମନ୍‌’ଜରିଆରେ ବ୍ୟବସାୟ କରିବାକୁ ଲୋଭ ଦେଖାଇଥିଲେ।

ବ୍ୟବସାୟର ତରିକା ମଧ୍ୟ ବତାଇଥିଲେ। କେମିତି ମାସକୁ ମାସ ଲକ୍ଷ ଲକ୍ଷ ଟଙ୍କା ସହଜରେ ରୋଗାର କରାଯାଇପାରୁଛନ୍ତି ତା’ ମଧ୍ୟ ବାଟ ଦେଖାଇଥିଲେ। ଲୋଭରେ ବଶବର୍ତ୍ତୀ ହୋଇ ଯୁବବ୍ୟବସାୟୀ ଜଣକ ରାଜି ହୋଇଥିଲେ। ପ୍ରଥମେ ଟ୍ରେଡିଂ କମ୍ପାନୀ ୱେବ୍‌ସାଇଟ୍‌ରେ ନିଜର ଆକାଉଣ୍ଟ ଖୋଲିଥିଲେ। ଗତ ଜୁଲାଇ ପ୍ରଥମ ସପ୍ତାହରୁ ବ୍ୟବସାୟ ଆରମ୍ଭ କରିଥିଲେ। କମ୍ପାନୀ ନିଜ ତରଫରୁ ଅନ୍‌ଲାଇନ୍‌ରେ ଯୁବବ୍ୟବସାୟୀଙ୍କ ନାଁରେ ୧୫ ହଜାର ଟଙ୍କା ବୈଦ୍ୟୁତିକ ସାମଗ୍ରୀ କିଣିଥିଲେ। ଯାହାକୁ ‌ଅନ୍‌ଲାଇନ୍‌ରେ ବିକିବା ପରେ ଯୁବବ୍ୟବସାୟୀଙ୍କର ଆକାଉଣ୍ଟକୁ ହଜାର ଟଙ୍କା ଲାଭ ଆସିଥିଲା।

ପରେ ଯୁବବ୍ୟବସାୟୀ ଜଣକ କମ୍ପାନୀ ସାଇଟ୍‌ରେ ୧୫ ହଜାର ଟଙ୍କା ଲଗାଇଥିଲେ। ତାଙ୍କୁ ୫ ହଜାର ଟଙ୍କା ଲାଭ ମିଳିଥିଲା। ଦ୍ବିତୀୟ ପର୍ଯ୍ୟାୟରେ ୩୦ ହଜାର ଳଗାଇଥିଲେ। ୧୦ହଜାର ଲାଭ ହୋଇଥିଲା। ତୃ୍ତୀୟ ପର୍ଯ୍ୟାୟରେ ୧ ଲକ୍ଷ ଟଙ୍କା ଲଗାଇଥିଲେ। ୪୦ ହଜାର ଟଙ୍କା ଲାଭ ପାଇଥିଲେ। ଏମିତି ଭାବେ ପର୍ଯ୍ୟାୟକ୍ରମେ ୨୦ ଲକ୍ଷ ଟଙ୍କା ଲଗାଇଥିଲେ। ଏଥିରୁ ପାଇଥିବା ଲାଭ ୭ ଲକ୍ଷ ଓ ମୂଳଧନ ୨୦ ଏମିତି ମୋଟ ୨୭ ଲକ୍ଷ କମ୍ପାନୀ ଆକାଉଣ୍ଟରେ ଜମା ରହିଥିଲା। ଯାହାକୁ ଯୁବବ୍ୟବସାୟୀ ଉଠାଇବାକୁ ଚାହିଁଥିଲେ। କିନ୍ତୁ ଉଠାଇପାରିନଥିଲେ। କମ୍ପାନୀର କର୍ମଚାରୀ କହିଥିଲେ, ଏକକାଳୀନ ସବୁ ଟଙ୍କା ଉଠାଇଲେ ୫୦% କଟିଯିବ। ଦୈନିକ ୩ ଲକ୍ଷରୁ ଅଧିକ ଟଙ୍କା ଉଠାଇ ହେବ ନାହିଁ।

ଜମାଥିବା ମୋଟ ୨୭ ଲକ୍ଷ ଟଙ୍କା ଉଠାଇବାକୁ ହେଲେ ୧୨ ଲକ୍ଷ ୫୦ ହଜାର ଟଙ୍କା ପୁଣି ଜମା କରିବାକୁ ପଡ଼ିବ ବୋଲି ଯୁବବ୍ୟବସାୟୀଙ୍କୁ କହିଥିଲେ। ଲୋଭରେ ବଶବର୍ତ୍ତୀ ହୋଇ ଯୁବବ୍ୟବସାୟୀ ଜଣକ ପୁଣି ୧୨ ଲକ୍ଷ ୫୦ ହଜାର ଏମିତି ମୋଟ ୩୨ ଲକ୍ଷ ୫୦ ହଜାର ଟଙ୍କା ଜମା କରିଥିଲେ। ପରବର୍ତ୍ତୀ ସମୟରେ କମ୍ପାନୀର ଅଧିକାରୀଙ୍କ ସହ ବାରମ୍ବାର କଥା ହୋଇଥିଲେ ହେଁ ସେ କୌଣସି ଶୁଣି ନଥିଲେ। ଶେଷରେ କୌଣସି ଉପାୟ ନପାଇଁ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି।