ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍‌ ପ୍ରାକ୍ତନ ଯୁବ କଂଗ୍ରେସ ସଭାପତି ଜଗନ୍ନାଥ ନାୟକ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ଗୋପାଳପୁର ପୁଲିସ। ଏହି ମାମଲାରେ ସଂପୃକ୍ତ ଜଣେ ନାବାଳକକୁ ଅଟକ ରଖି ପଚରାଉଚରା ପରେ ଆଜି ତାକୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ (ଜେଜେବି)ରେ ହାଜର କରାଯାଇଛି। ମାସିକ ଦରମା ନଦେବାରୁ ପ୍ରତିଶୋଧପରାୟଣ ହୋଇ ନାବାଳକ ଜଣକ ଜଗନ୍ନାଥଙ୍କ ମୁଣ୍ଡକୁ ପଥରରେ ଛେଚି ଓ ଲୁହା ଡୋର୍‌ କ୍ଲାମ୍ପ୍‌ରେ ପିଟି ହତ୍ୟା କରିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ହତ୍ୟାରେ ବ୍ୟବହୃତ ପଥର, ଡୋର୍‌ କ୍ଲାମ୍ପ୍ ଓ ଘର ଚାବି ପୁଲିସ ଜବତ କରିଛି।

Advertisment

ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଗାଙ୍ଗପୁର ଥାନା ଅନ୍ତର୍ଗତ ଖଇରପୁଟ ଗ୍ରାମର ମୂଳବାସିନ୍ଦା ଜଗନ୍ନାଥ ଗୋପାଳପୁରରେ ‌ଖୋଲିଥିବା ଫାଷ୍ଟଫୁଡ୍‌ ଦୋକାନରେ ଅଭିଯୁକ୍ତ ନାବାଳକକୁ ହେଲ୍‌ପର ଭାବେ ରଖିଥିଲେ। ମାସିକ ୧୫୦୦ ଟଙ୍କା ‌ହିସାବରେ ଦେବେ ବୋଲି କହିଥିଲେ। ତେବେ ଜଗନ୍ନାଥ ଉକ୍ତ ନାବାଳକକୁ ମାସିକ ଦରମା ଦେଉ ନଥିବା ବେଳେ ମାଗିଲେ ନାନା ଧମକଚମକ ଦେଇଆସୁଥିଲେ। ଏପରିକି ଚୋରି ମାମଲାରେ କେସ୍‌ କରିଦେବାକୁ ଧମକ ଦେଉଥିଲେ। ନାବାଳକର ଭଉଣୀକୁ ଜଗନ୍ନାଥ କୁଆଡ଼େ ଦୁର୍ବ୍ୟବହାର କରିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଏହି ସମସ୍ତ ଘଟଣାର ପ୍ରତିଶୋଧ ନେବାକୁ ନାବାଳକ ଜଣକ ମନସ୍ଥ କରି ଏଭଳି କାଣ୍ଡ ଭିଆଇବାକୁ ଯୋଜନା କରିଥିଲେ।

ଗତ ୨୮ତାରିଖ ଦିନ ସଂଧ୍ୟାରେ ଫାଷ୍ଟଫୁଡ୍‌ ସେଣ୍ଟରର ରୋଷେୟା ସଂଧ୍ୟାରେ ଘରୁ ଚାଲିଯିବା ପରେ ସେହି ଦିନ ରାତିରେ ଜଗନ୍ନାଥ ଓ ନାବାଳକ ଜଣକ ରହିଥିଲେ। ୨୯ ତାରିଖ ଦିନ ଭୋରୁ ଜଗନ୍ନାଥ ଶୋଇଥିବା ବେଳେ ନାବାଳକ ଜଣକ ଏକ ବଡ଼ ପଥର ଆଣି ମୁଣ୍ଡକୁ ଛେଚିବା ସହ ଲୁହାର ଡୋର୍‌କ୍ଲାମ୍ପରେ ମୁଣ୍ଡକୁ ପିଟିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ପରେ ନାବାଳକ ଜଣକ ଘର ତାଲା ପକାଇ ଚାଲିଯାଇଥିଲା। ଗତ ୩ତାରିଖ ଦିନ ଗୋପାଳପୁର ପୁଲିସ ଅଭିଯୋଗ ପାଇ ବନ୍ଦ ଥିବା ଘରୁ ଜଗନ୍ନାଥର ଶବକୁ ଉଦ୍ଧାର କରିଥିଲା। ଏକ ହତ୍ୟା ମାମଲା ରୁଜୁ କରିବା ସହ ଏଥିରେ ସଂପୃକ୍ତ ଥିବା ନାବାଳକକୁ ଆଜି ଜେଜେବିରେ ହାଜର କରିଥିବା ଜଣାପଡ଼ିଛି।