ବଜ୍ରାଘାତ ନେଲା ଯୁବ ଇଞ୍ଜିନିୟରଙ୍କ ଜୀବନ 

ଚାନ୍ଦବାଲି: ମୃତ୍ୟୁ କେମିତି କେଉଁ ରୂପରେ ଆସେ ତାହା କହିବା ଅସମ୍ଭବ । ହେଲେ ମୃତ୍ୟୁ ଏମିତି ବି ଆସେ  ଯାହା ବିଶ୍ୱାସ କରି ନ ହେଲେ ବି ତା ଘଟିଥାଏ। ଗତକାଲି କାଳବୈଶାଖୀ  ପ୍ରବଳ ବର୍ଷା ସହିତ  ବଜ୍ରାଘାତ  ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ  କିଛି ଲୋକ ଚିଙ୍ଗୁଡ଼ି ଘେରିରେ ଆଶୟ ନେଇଥିବା ବେଳେ ସେଥିରେ ଜଣେ  ଯୁବ ଇଞ୍ଜିନିୟର ମଧ୍ୟ ଅନ୍ୟ ଏକ ପଲାରେ ଆଶ୍ରୟ ନେଇଥିଲେ। ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରାଘାତ  ହୋଇଥିଲା । ବର୍ଷା ଛାଡ଼ିଯିବାରୁ  ଲୋକମାନେ ପଲାରୁ  ବାହାରକୁ ବାହାରି ଆସିଥିବା ବେଳେ ଯୁବ ଇଞ୍ଜିନିୟର ପଲା ବାହାରକୁ ଆସି ନଥିଲେ। ଅନ୍ୟମାନେ ତାଙ୍କୁ ଡାକ ପକାଇଥିବା ବେଳେ ସଂଗେ ସଂଗେ ପଲା ନିକଟକୁ ଯାଇ ଅଚେତ ହୋଇ ପଡ଼ିଥିବା ଦେଖି  ତୁରନ୍ତ ମେଡ଼ିକାକୁ ନେଇଥିଲେ। ହେଲେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ମୃତକ ଜଣକ ମନୋରଂଜନ ଗିରିଙ୍କ ଏକମାତ୍ର ପୁଅ ଜଗନ୍ନାଥ ଗିରି (୨୭)। ତାଙ୍କ ବେକ ପାଖରେ ପୋଡ଼ି ଯାଇଥିବା ବେଳେ କାନରୁ ରକ୍ତ ବାହାରୁ ଥିଲା। ଏଭଳି ଏକ ଦୁଃଖଦ ଘଟଣାରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଏହି ଦୁଃଖଦ ଖବର ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ  କରଞ୍ଜମାଳ ପଂଚାୟତ ବିଜୟ ପାଟଣା ଗାଁରୁ। ବିଜୟ ପାଟଣା ଗାଁର ମନୋରଂଜନ ଗିରି ଜଣେ ଗରିବ ମତ୍ସ୍ୟଜୀବୀ ହୋଇଥିବା ବେଳେ ଦରିଆରେ ମାଛ ମାରି ବହୁ ଦୁଃଖରେ ପରିବାର ଚଳାଇଥାନ୍ତି । ପରିବାର କହିଲେ ପତ୍ନୀ, ଦୁଇ ଝିଅ ଓ ଏକମାତ୍ର ପୁଅ।  ପୁଅକୁ ଭଲ ମଣିଷ କରିବା ପାଇଁ ନିଜର ଥିବା ଏକ  ଜମି ବିକ୍ରି କରି ପୁଅକୁ ପାଠ ପଢ଼ାଇ ଇଞ୍ଜିନିୟର କରାଇଥିବା ବେଳେ ବାଙ୍ଗାଲୋରରେ ଜଣେ ସଫ୍ଟୱେୟାର  ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ।

ବିଶ୍ୱମହାମାରୀ କରୋନାର ଦ୍ବିତୀୟ ଲହରି ଭୟଙ୍କର ରୁପ ନେଉଥିବା ବେଳେ  ଏକମାତ୍ର ପୁଅକୁ କରୋନା ଦାଉରୁ ରକ୍ଷା କରିବା ପାଇଁ ଘରକୁ ଡକାଇ ଆଣିଥିଲେ ମନୋରଂଜନ ଗିରି। ମାତ୍ର ବିଧିର ବିଧାନ କିଛି ଥିଲା ଅଲଗା। କେତେ ଦିଅଁ ଦେବତାକୁ ପୂଜି  ପୁଅଟିଏ ପାଇ  ହସଖୁସିରେ  ପୁରି ଉଠୁଥିବା ପରିବାର କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା। ପୁଅର ଶବ ଭଦ୍ରକ ମେଡିକାଲରୁ ବ୍ୟବଚ୍ଛେଦ ହୋଇ ଆସିବା ପରେ ସାରା ଗାଁରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର