କାର୍ ଦୁର୍ଘଟଣାରେ ଯୁବ ଇଞ୍ଜିନିୟର ମୃତ

ବେଲଗୁଣ୍ଠା : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ-ସୋରଡ଼ା ରାସ୍ତା ମରେଇପ‌ାଟ ଛକରେ ଆଜି ଅପରାହ୍‌ଣ ସାଢ଼େ ୫ଟାରେ ମର୍ମନ୍ତୁଦ କାର୍ ଦୁର୍ଘଟଣାରେ ଜଣେ ଯୁବ ଇଞ୍ଜିନିୟର୍ ପ୍ରାଣ ହରାଇଛନ୍ତି। ମୃତକଜଣକ ହେ‌ଲେ, କାଳିଆଗୁଡ଼ା ଗ୍ରାମର ଦେବାଶିଷ ପ୍ରଧାନ ଓରଫ୍ ଲିଟୁ (୩୨)। ଦେବାଶିଷ ବେଙ୍ଗାଲୁରୁରେ ଇଞ୍ଜିନିୟର୍ ଭାବେ ଚାକିରି କରୁଛନ୍ତି। ସେ କାଳିଆଗୁଡ଼ାର ମୂଳବାସିନ୍ଦା ହୋଇଥିଲେ ବି ଗ‌ୋବରାରେ ରହି ଆସୁଥିଲେ। ଗତ କିଛି ଦିନ ହେଲା ଗାଁକୁ ଛୁଟିରେ ଆସିଥିଲେ। ଆଜି ସନ୍ଧ୍ୟାରେ ସେ ନିଜ କାର୍‌‌ରେ କାଳିଆଗୁଡ଼ା ଯାଇ ଗୋବରା ଫେରୁଥିବା ସମୟରେ ମରେଇପାଟ ଛକ ନିକଟରେ କାର୍‌ଟି ଭାରସାମ୍ୟ ହରାଇ ଏକ ବରଗଛରେ ପିଟି ହୋଇଯାଇଥିଲେ। ଫଳରେ କାର୍ ଭିତରେ ଫସି ଘଟଣାସ୍ଥଳରେ ଦେବାଶିଷ ପ୍ରାଣ ହରାଇଥିଲେ। କାର୍‌ଟି ବି ଭାଙ୍ଗିଯାଇଥିଲା। ଘଟଣା ସମୟରେ ପଛରେ ଆସୁଥିବା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ବଡ଼ବୋରସିଂ ସରପଞ୍ଚ ଏସ୍.ରାମେଶ୍ୱର ପାତ୍ର ସେଠାରେ ରହି ଆମ୍ବୁଲାନ୍ସ୍ ‌ଯୋଗେ ଦେବାଶିଷଙ୍କୁ ଭଞ୍ଜନଗର ଡାକ୍ତରଖାନା ପଠାଇଥିଲେ। ‌ଗାଙ୍ଗପୁର ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ ଓ ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କାର୍‌ଟିକୁ ଜବତ କରାଯାଇଛି।
ସମ୍ବନ୍ଧିତ ଖବର