ଅକ୍ସିଜେନ ଅଭାବରୁ ଯୁବ ଉଦ୍ୟୋଗୀ ମୃତ

ପଟ୍ଟାମୁଣ୍ତାଇ : ଅକ୍ସିଜେନ୍‌ ଅଭାବରୁ ଦିଲ୍ଲୀରେ କରୋନା ଆକ୍ରାନ୍ତ ଓଡ଼ିଆ ଯୁବ ଉଦ୍ୟୋଗୀଙ୍କ ମୃତ୍ୟୁ ଘଟିଛି। ସେ ହେଉଛନ୍ତି ପଟ୍ଟାମୁଣ୍ତାଇ ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଉଦୟପୁର ଗ୍ରାମର ସଚ୍ଚିଦାନନ୍ଦ ଷଡ଼ଙ୍ଗୀ (୩୬)। ତାଙ୍କ ମୃତ୍ୟୁରେ ପଟ୍ଟାମୁଣ୍ଡାଇ ସମେତ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି।

ସୂଚନା ଅନୁସାରେ, ଘରୋଇ କମ୍ପାନି ଛାଡି ସଚ୍ଚିଦାନନ୍ଦ ଦିଲ୍ଲୀରେ ‘ନନ୍ଦ ପାୱାର ନାମକ ଏକ ବୈଦ୍ୟୁତିକ ଯନ୍ତ୍ରାଂଶ ତିଆରି କାରଖାନା ପ୍ରତିଷ୍ଠା କରିଥିଲେ। ସେଥିରେ ବହୁ ଓଡ଼ିଆ ଯୁବକଙ୍କୁ ନିଯୁକ୍ତି ଦେଇଥିଲେ। ଘରେ ବୃଦ୍ଧ ପିତା-ମାତା ଥିବାବେଳେ ପତ୍ନୀ ଓ ୨ ପୁଅଝିଅଙ୍କ ସହ ସେ ଦିଲ୍ଲୀରେ ରହୁଥିଲେ। ୭ ଦିନ ତଳେ ତାଙ୍କୁ ଜ୍ବର ହୋଇଥିଲା। ଦିଲ୍ଲୀର କୌଣସି ଡାକ୍ତରଖାନାରେ ବି ତାଙ୍କୁ ଭର୍ତ୍ତି କରିବା ସମ୍ଭବପର ହୋଇ ନଥିଲା। ଅକ୍ସିଜେନ ମାତ୍ରା କମିଯିବାରୁ ବଡ଼ ଭାଇ ସଚ୍ଚିଦାନନ୍ଦଙ୍କୁ ହରିୟାଣାର ଗୁର୍‌ଗାଁଓ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ପରୀକ୍ଷାନିରୀକ୍ଷା ପରେ ତାଙ୍କର କୋଭିଡ ରିପୋର୍ଟ ପଜିଟିଭ୍‌ ଆସିଥିଲା। ସେ ଆଇସିୟୁରେ ମୃତ୍ୟୁ ସହ ୭୨ ଘଣ୍ଟା କାଳ ସଂଗ୍ରାମ କରି ଅକ୍ସିଜେନ ଅଭାବରୁ ଶୁକ୍ରବାର ବିଳମ୍ବିତ ରାତିରେ ଆଖି ବୁଜି ଦେଇଥିଲେ।

ସଚ୍ଚିଦାନନ୍ଦଙ୍କୁ ହରାଇ ବୃଦ୍ଧ ପିତା, ମାତାଙ୍କ ସମେତ ପତ୍ନୀ ଓ ୨ କୁନି ପୁଅଝିଅ ଅସହାୟ ହୋଇ ପଡ଼ିଛିନ୍ତି।

ସମ୍ବନ୍ଧିତ ଖବର