ସିଙ୍ଗଡ଼ା: ଶରୀର ପାଇଁ ହିତକର ସାବ୍ୟସ୍ତ ହୋଇଥିବା ‘କଳାବତୀ’ ଧାନଚାଷ କରି ସଫଳତା ସାଉଁଟିଛନ୍ତି ସିଙ୍ଗଡ଼ା ନିକଟସ୍ଥ ହଳଦିଆ ଗାଁର ଯୁବଚାଷୀ ସିପୁନ ମହାକୁଡ଼। କୃଷି ବିଭାଗର ପ୍ରୋତ୍ସାହନରେ ସିପୁନ୍ ଜୈବିକ ପଦ୍ଧତିରେ ୨ ଏକର ଜମିରେ କଳାବତୀ ଧାନଚାଷ କରିଛନ୍ତି। ଏହି ଚାଷରେ ଏକର ପିଛା ୨୦ କ୍ୱିଣ୍ଟାଲ ଧାନ ଅମଳ ହେଉଥିବା ବେଳେ ଔଷଧୀୟ ଗୁଣ ଯୋଗୁଁ ଚାଉଳ କେଜି ପିଛା ଏହାର ଦାମ୍ ରହିଛି ୩ ହଜାର ଟଙ୍କା।
ଏହି ଚାଉଳର ବିଶେଷତ୍ବ ହେଲା ଏଥିରେ ପ୍ରଚୁର ପରିମାଣର ଆଣ୍ଟି ଅକ୍ସିଡେଣ୍ଟ ରହିଛି। ଏହାବ୍ୟତୀତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଏହି ଚାଉଳକୁ ବ୍ୟବହାର କରାଯାଉଥିବାବେଳେ ମଧୁମେହ, ବାର୍ଦ୍ଧକ୍ୟଜନିତ ରୋଗ, କିଡ୍ନି ରୋଗୀଙ୍କ ପାଇଁ ଏହା ସଞ୍ଜିବନୀ ସଦୃଶ୍ୟ ହେଇଥାଏ। ଗତବର୍ଷ ସିପୁନ ଅନ୍ଲାଇନରେ କଳାବତୀ ବିହନ ଆଣି ସ୍ବଳ୍ପ ପରିମାଣରେ ଚାଷ କରିଥିଲେ। ଚଳିତବର୍ଷ ଅଧିକ ପରିମାଣରେ ଚାଷ କରିଛନ୍ତି। ୧୪୫ରୁ ୧୫୦ ଦିନ ଭିତରେ ଅମଳ ହେଉଥିବା କଳାବତୀ ଧାନଚାଷ ପାଇଁ ଏକର ପିଛା ୧୬ରୁ ୧୭ ହଜାର ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ। ଏହି ଚାଷରେ ରାସାୟନିକ ସାର କିମ୍ବା କୀଟନାଶକ ପ୍ରୟୋଗ କରାଯାଏ ନାହଁ। କେବଳ ଗୋବର ଖତ, ଜିଆ ଖତରେ ଜୈବିକ ପଦ୍ଧତିରେ ଚାଷ କରାଯାଇଥାଏ। ଅଳ୍ପ ଖର୍ଚ୍ଚରେ ବେଶି ଅମଳ ହେଉଥିବାରୁ ଏହି ଧାନଚାଷ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଛି ବୋଲି କରଞ୍ଜିଆ କୃଷି ଜିଲ୍ଲା ଅଧିକାରୀ କରଞ୍ଜିଆ ରାମଚନ୍ଦ୍ର ନାଏକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/29-19.jpg)