ବାଣୀବିହାର ଛକରେ ଆନ୍ଦୋଳନ ସମୟରେ ଯୁବତୀଙ୍କ ମୃତ୍ୟୁ ପ୍ରସଂଗ : ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ

କଟକ : ଭୁବନେଶ୍ବର ବାଣୀବିହାର ଛକରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ସମୟରେ ମୁଖ୍ୟ ରାସ୍ତାରେ କାର୍ ଭିତରେ ଜଣେ ଯୁବତୀଙ୍କ ମୃତ୍ୟୁ ପ୍ରସଂଗକୁ ନେଇ ବିଚାରାଧୀନ ମାମଲାରେ ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ନି‌ର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଓ ତଦନ୍ତ ରିପୋର୍ଟ ପ୍ରସଂଗରେ ସରକାର ପରବର୍ତ୍ତୀ ଶୁଣାଣି ସମୟରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିବେ। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୫ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ବେଚ୍ଛାସେବୀ ଅନୁଷ୍ଠାନ ମୈତ୍ରୀ ସଂସଦ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ପାଇଁ ୨୦୧୫ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବାବେଳେ ଏହାର ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଯୋଗୁ ବାଣୀବିହାର ଛକରେ ଗାଡ଼ି ମଟର ଅଟକି ରହିଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡି ମଟର ଅଟକି ରହିଥିଲା। ଏହି ସମୟରେ କାର୍ ଯୋଗେ ଫେରୁଥିବା ସୁମନ ଶର୍ମାଙ୍କ ଗାଡି ଭିଡ ଯୋଗୁ ରାସ୍ତାରେ ଅଟକି ରହିଥିଲା। ଗାଡି ଭିତରେ ସୁମନ ବେହୋସ୍ ହୋଇ ଯାଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ପୁଲିସ କର୍ମଚାରୀ ଓ ଅନ୍ୟମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ବାରମ୍ବାର ଆନ୍ଦୋଳନ ‌ଓ ଅନ୍ୟାନ୍ୟ କାରଣରୁ ରାସ୍ତାରେ ଗାଡି ମଟର ଅଟକି ରହୁଛି। ଏପରି ପରିସ୍ଥିତି ଯୋଗୁ ଧନଜୀବନ ନଷ୍ଟ ହେଉଥିବା ବେଳେ ସରକାର ପ୍ରତିକାର ପାଇଁ ତୁରନ୍ତ ପଦକ୍ଷେପ ନେବା ଉଚିତ ଦର୍ଶାଇ ମୈତ୍ରୀ ସଂସଦ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାରେ ଯେଉଁ ମାନେ ଦୋଷୀ ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଜୟ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର