ଭୁବନେଶ୍ବର : ଯୁବତୀଙ୍କ ଆତ୍ମହତ୍ୟା, ‘ଦିଦି ପ୍ଲିଜ୍ ମୋତେ କ୍ଷମା କରିଦେବ’

ଭୁବନେଶ୍ବର : ‘ମୁ ଆଉ ରହିବାକୁ ଚାହୁଁନି। ଦିଦି ପ୍ଲିଜ୍ ମୋତେ କ୍ଷମା କରିଦେବ। ମୋ ମୃତଦେହକୁ ଗାଁକୁ ପଠାଇଦେବ’। ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ଅଞ୍ଚଳରୁ ଆଜି ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ନିକଟରୁ ଏଭଳି କିଛି ଲେଖା ଥିବା ଏକ ସୁଇସାଇଡାଲ୍ ନୋଟ୍ ପୁଲିସ ଜବତ। ମୃତ ଯୁବତୀ ହେଲେ ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ଚାନ୍ଦୁନି ସୂତାର(୨୪)। ଝାରପଡ଼ାରେ ଏକ ଘରେ ଭଡ଼ା ରହି ଫ୍ୟାସନ ଦୋକାନରେ କାମ କରୁଥିଲେ।

ପୁଲିସ ସୂଚନା ଅନୁସାରେ, ଚାନ୍ଦୁନି ଏକୁଟିଆ ଭଡ଼ାରେ ରୁହନ୍ତି। ଆଜି ଦିନରେ ଦୀର୍ଘ ସମୟ ଧରି ତାଙ୍କ କୋଠରୀ କବାଟ ଖୋଲି ନ ଥିଲା। ପାଖ ରୁମରେ ଥିବା ଲୋକ ଡାକିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ଏ ନେଇ ସେମାନେ ଲକ୍ଷ୍ମୀସାଗର ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଜବତ କରିଛି। ସୁଇସାଇଡାଲ ନୋଟରେ ଚାନ୍ଦୁନି ଉଲ୍ଲେଖ କରିଥିବା ‘ଦିଦି’ କିଏ? ସେ ଚାନ୍ଦୁନିଙ୍କ ସଂସ୍ପର୍ଶରେ କିପରି ଆସିଲେ? ଯେଉଁ ଦିଦିଙ୍କ କଥା କୁହାଯାଉଛି ଚାନ୍ଦୁନିଙ୍କର ତାଙ୍କ ସହ ସମ୍ପର୍କ କ’ଣ? ଦିଦିଙ୍କ ସହ ଚାନ୍ଦୁନିଙ୍କର ସମ୍ପର୍କରେ ତିକ୍ତତା ଆସିଥିଲା କି? ଏ ସବୁ ଅସମାହିତ ପ୍ରଶ୍ନର ଉତ୍ତର ପୁଲିସ ପାଇପାରି ନାହିଁ। ଚାନ୍ଦୁନିଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ପୁଲିସ ଖବର ଦେଇଛି। ସେମାନେ ପହଞ୍ଚିବା ପରେ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ। ଏ ନେଇ ଲକ୍ଷ୍ମସାଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର