ଭୁବନେଶ୍ବରରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା; କାରଣ ଅସ୍ପଷ୍ଟ, ମୃତଦେହ ଜବତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୁଣି ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ଯୁବତୀ ଜଣକ ନୟାପଲ୍ଲୀ ଥାନା ଅଞ୍ଚଳରେ ଏକ ଭଡ଼ାଘରେ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତକଙ୍କ ନାମ ରଂଜିତା ସାହୁ। ସେ କଟକ ଜିଲ୍ଲା ଗୁରୁଡିଝାଟିଆ ଅଞ୍ଚଳର ବୋଲି କୁହାଯାଉଛି। ରଂଜିତା ଭଡାଘରେ ରହି କ’ଣ କରୁଥିଲେ, ତାହା ଜଣାପଡ଼ି ନାହିଁ। ସେହିପରି ଆତ୍ମହତ୍ୟାର ପ୍ରକୃତ କାରଣ ମଧ୍ୟ ଜଣାପଡ଼ି ନାହିଁ। ତେବେ ସୂଚନା ପାଇଁ ନୟାପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସ ଏବାବଦରେ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଭରତପୁର ଥାନା ଶ୍ରୀକ୍ଷେତ୍ର ବିହାର ଅଞ୍ଚଳରେ ଗତ ସୋମବାର ପ୍ରେମ ବିଚ୍ଛେଦରୁ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ମୃତକ ଶକ୍ତିପ୍ରସାଦ ଶତପଥୀ(୨୮) ଥିଲେ। ସେ ଗାଡି ବ୍ୟବସାୟ କରୁଥିଲେ । ନୟାପଲ୍ଲୀ ଅଞ୍ଚଳର ଜଣେ ଝିଅଙ୍କୁ ଗତ ୬ ବର୍ଷ ହେବ ପ୍ରେମ କରୁଥିଲେ। କିଛିଦିନ ତଳେ ଯୁବକ ଜଣଙ୍କର ପ୍ରେମ ବିଚ୍ଛେଦ ହୋଇଥିଲା। ଏହାକୁ ସହ୍ୟ ନକରିପାରି ସୋମବାର ସେ ଆତ୍ମହତ୍ୟା କରିଥିଲେ।

ସେହିଭଳି ମାସକ ପୂର୍ବରୁ ଅର୍ଥାତ ଗତ ଜୁଲାଇ ୫ ତାରିଖରେ ସହିଦନଗର ଥାନା ଅନ୍ତର୍ଗତ ଆଚାର୍ଯ୍ୟବିହାରସ୍ଥିତ ଏକ ଭଡ଼ା ଘରୁ ଜଣେ ଏମ୍‌ସିଏ ଛାତ୍ରୀଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ମୃତ ଛାତ୍ରୀ ଆଶ୍ରିତା ସେନାପତି ଆଚାର୍ଯ୍ୟ ବିହାର ପାଣିଟାଙ୍କି ନିକଟରେ ଥିବା ଏକ ଭଡ଼ା ଘରେ ରହୁଥିଲେ। ରାଜଧାନୀର ଏକ ଘରୋଇ କଲେଜରେ ପାଠ ପଢୁଥିଲେ।

ସମ୍ବନ୍ଧିତ ଖବର