ପତ୍ନୀର ମାନ୍ୟତା ନ ପାଇ ପ୍ରେମିକ ଘର ସମ୍ମୁଖରେ ହାତ କାଟିଲେ ପ୍ରେମିକା

ବୌଦ୍ଧ: ପ୍ରବାସରେ କର୍ମସ୍ଥଳୀରେ ସାକ୍ଷାତ। ତା ପରେ ପ୍ରେମ। ତିନି ମାସର ପ୍ରେମ ପରେ ମନ୍ଦିରରେ ବିବାହ। ଗଜପତି ଜିଲ୍ଲା ଉଦୟପୁର ଅଞ୍ଚଳର ଜଣେ ଯୁବତୀ(୨୨) ଓ ବୌଦ୍ଧ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାଘପାଲି ଗାଁର ଜିତେନ୍ଦ୍ର ପଟେଲ(୨୬)ଙ୍କ ମଧ୍ୟରେ ଭଳି ସଂପର୍କ ଗଢ଼ି ଉଠିଥିଲା। ବିବାହ ପରେ ଗତ ତିନି ବର୍ଷ ହେଲା ଏମାନେ ତାମିଲନାଡ଼ୁର ଏକ ସୂତାକଳରେ କାମ କରି ଏକାଠି ରହୁଥିଲେ। ଏହି ସମୟ ମଧ୍ୟରେ ଯୁବକଙ୍କ କଥାରେ ଦୁଇ ଥର ଗର୍ଭପାତ କରାଇଛନ୍ତି ଯୁବତୀ।

ଚଳିତ ବର୍ଷ ମେ’ ମାସରେ ଦୁହେଁ ବାଘପାଲି ଫେରି ଯୁବକଙ୍କ ଭିଣୋଇ ଘରେ ରହିଥିଲେ। କିଛି ଦିନ ନଯାଉଣୁ ସ୍ବାମୀ ଜଣକ ଯୁବତୀଙ୍କୁ ଫୁସୁଲାଇ କାମ କରିବା ପାଇଁ ସିକନ୍ଦରାବାଦ ପଠାଇଥିଲେ। ପ୍ରଥମେ କିଛି ଦିନ ନିୟମିତ ଭାବରେ ଫୋନରେ କଥାବାର୍ତ୍ତା ହେଉଥିଲେ। ତା’ ପରେ ଫୋନ ବନ୍ଦ। ଶେଷରେ ଚିନ୍ତାରେ ପଡ଼ି ଯୁବତୀ ଜଣକ ସୋମବାର ଅପରାହ୍ନରେ ଶ୍ବଶୁର ଘର ବାଘପାଲି ପହଞ୍ଚିଥିଲେ। ଯୁବକଙ୍କ ମା’ ତାଙ୍କୁ ଘରକୁ ପସିବାକୁ ନଦେଇ ଛାତିରେ ଧକ୍କା ମାରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ସ୍ବାମୀଙ୍କ ସହ ଥରେ ଦେଖା କରିବାକୁ ଯେତେ ନେହୁରା ହେଲେ ବି କେହି ଶୁଣି ନଥିଲେ। ଶେଷରେ ଯୁବତୀ ଜଣକ ଜୀବନ ହାରିବା ପାଇଁ ନିଜ ଦୁଇ ହାତ କାଟିଥିଲେ। ବର୍ତ୍ତମାନ ଗୁରୁତର ଅବସ୍ଥାରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବୌଦ୍ଧ ଆଦର୍ଶ ଥାନା ପୁଲିସ ଡାକ୍ତରଖାନା ପହଞ୍ଚି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର