ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକରେ ରହିଛି ଆଦିମ ଜନଜାତିଙ୍କ ବାସସ୍ଥାନ ବଣ୍ଡାଘାଟି। ଘାଟି ଉପରେ ପ୍ରାୟ ଦୁଇଟି ପଞ୍ଚାୟତର ୩୨ଟି ଗ୍ରାମରେ ଏହି ସଂପ୍ରଦାୟର ଲୋକେ ରହୁଛନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ ଏହି ଜନଜାତି ଏବେ ବି ଅବହେଳିତ। ନା’ ଏଠାରେ ରାସ୍ତାର ଦେଖା ମିଳେ ନା ଶିକ୍ଷାର ପାଦ ଚିହ୍ନ ପଡିଛି। ସ୍ବାସ୍ଥ୍ୟ ସେବା କଥା ନକହିବା ଭଲ। ପାନୀୟ ଜଳର ଘୋର ଅଭାବ। ଏଭଳି ସ୍ଥିତିରେ ଘାଟିରେ କିଛି ବଣ୍ଡା ଯୁବତୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ବିଶେଷ ପାଠ ପଢ଼ି ନଥିବା ଏହି ଯୁବତୀମାନେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ମାଇଲ ଖୁଣ୍ଟ ସ୍ଥାପନ କରିବାରେ ସକ୍ଷମ ହୋଇଛନ୍ତି।
ଚିକିତ୍ସା ସେବାରେ ବହୁ ପଛରେ ପଡ଼ି ଯାଇଥିବା ବଣ୍ଡାଘାଟିରେ ଡାକ୍ତରଖାନା ରହିଛି ସତ। କିନ୍ତୁ କେବେ ଖୋଲେ ଏବଂ ପୁଣି କେତେବେଳେ ବନ୍ଦ ହୁଏ ତାହା କେହି ଜାଣିପାରନ୍ତି ନାହିଁ। ରାସ୍ତାଘାଟ ସାଂଘାତିକ ଅବସ୍ଥା ଯୋଗୁଁ ଅଧିକାଂଶ ବଣ୍ଡା ମେଡିକାଲ ପର୍ଯ୍ୟନ୍ତ ବି ପହଞ୍ଚି ପାରନ୍ତି ନାହିଁ। ଭଗବାନ ଭରସାରେ ଦିଶାରୀ ଏବଂ ଦେଶୀ ଚେରମୂଳୀ ଖାଇ ସୁସ୍ଥ ହେବାକୁ ଅପେକ୍ଷା କରନ୍ତି। କିନ୍ତୁ କିଛି ବର୍ଷ ତଳେ ଆଶା କିରଣ ନାମକ ସଂସ୍ଥା ଏହି ଦୁର୍ଗମ ଅଞ୍ଚଳରେ ପହଞ୍ଚିଥିଲା। ଛୋଟିଆ ଡାକ୍ତରଖାନାଟିଏ ବି ଖୋଲିଥିଲା। ହେଲେ ପରବର୍ତୀ ସମୟରେ ଏହି ସଂସ୍ଥା ଆଉ ପାଦେ ଆଗକୁ ଯାଇ ନୂଆ ପ୍ରୟୋଗ କଲା। ନିଜ ଲୋକଙ୍କ ଦ୍ୱାରା ହିଁ ବଣ୍ଡାଙ୍କୁ ଚିକିତ୍ସା କରିବାକୁ ଅଭିଯାନ ଆରମ୍ଭ କରିଥିଲା। ଏହି ଅଞ୍ଚଳର ଯୁବତୀଙ୍କୁ ପ୍ରାଥମିକ ଚିକିତ୍ସାର ତାଲିମ ଦେଇ ସେମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ନିୟୋଜିତ କରିଥିଲା। ବର୍ତମାନ ଏହି ଯୁବତୀମାନେ ଇଂଜେକ୍ସନ ଦେବା, ପ୍ରସବ ସମୟରେ ଆବଶ୍ୟକ ସହାୟତା, ଆହତଙ୍କ ପ୍ରାଥମିକ ଚିକିତ୍ସା ଭଳି ଅନେକ ସେବା ନିଜ ଅଞ୍ଚଳରେ ଯୋଗାଇ ଦେଉଛନ୍ତି। ୫ବର୍ଷ ହେଲା ବଣ୍ଡା ଯୁବତୀଙ୍କ ଯୋଗୁଁ ବହୁ ଜଣ ମୃତ୍ୟୁମୁଖରୁ ଲେଉଟି ଆସିବାର ବହୁ ନଜିର ରହିଛି। ପୂର୍ବରୁ ଗର୍ଭବତୀ ମହିଳାଙ୍କୁ କାଉଡି କରି ୨୦ କିଲୋମିଟର ବାଟ ଖଇରପୁଟ ମେଡିକାଲକୁ ଅଣାଯାଉଥିଲା। ବର୍ତମାନ ବଣ୍ଡା ଯୁବତୀମାନେ ସୁରକ୍ଷିତ ପ୍ରସବ କରାଇବାରେ ସଫଳ ହେଲେଣି। ବିନା ପରିଶ୍ରମିକରେ ଲୋକଙ୍କୁ ଚିକିତ୍ସା େସବା ଯୋଗାଇ ଦେଇ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି।
ଅଣ୍ଡ୍ରାହଲ ପଞ୍ଚାୟତର ଡୁମୁଲୁପଡା ସ୍ଥିତ ଛୋଟିଆ ହସ୍ପିଟାଲରେ ଏହି ଯୁବତୀମାନେ ନିୟୋଜିତ ହୋଇଛନ୍ତି। କେଉଁ ରୋଗ ପାଇଁ କ’ଣ ଔଷଧ ରହିଛି ତାହା ମଧ୍ୟ ନିର୍ଭୁଲ ଭାବେ କହିପାରୁଛନ୍ତି। ଯଦି ଅଣ୍ଡ୍ରାହାଲ ପଞ୍ଚାୟତରେ ମଧ୍ୟ ସରକାର ଗୋଟିଏ ପ୍ରାଥମିକ ଚିକିତ୍ସାଳୟ ଖୋଲିବେ ତାହାହେଲେ ସେଠାରେ ବି ଯାଇ କାମ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ବଣ୍ଡା ଯୁବତୀଙ୍କୁ ଏଭଳି ସେବା ମନୋଭାବ ଲୋକଙ୍କୁ ଚକିତ କରୁଛି। ନିରବଚ୍ଛିନ୍ନ ଭାବେ ଚିକିତ୍ସା କରିଆସୁଥିବା ଏହି ଯୁବତୀମାନଙ୍କୁ ପ୍ରଶାସନ ତରଫରୁ ଯଦି ଉଚିତ ତାଲିମ ପ୍ରଦାନ କରାଯାଇପାରନ୍ତା ତେବେ ଆଗକୁ ଆହୁରି ଅନେକ ଯୁବତୀ ଏହି କ୍ଷେତ୍ରରେ ଆଗକୁ ଆସି ପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/Mkg-Banda-Hospital-by-young-ladies-3.jpg)