କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ.ଗୋବିନ୍ଦପୁର ଗ୍ରାମର ଟୁଟୁ ନାହାକଙ୍କୁ ଅପହରଣ ପରେ ହତ୍ୟା ଘଟଣାର ପୁଲିସ ଛାନଭିନ ଆରମ୍ଭ କରିଛି। ହେଲେ ଦୁଇଦିନ ଭିତରେ କାହାକୁ ଗିରଫ କରପାରିନାହିଁ। କେବଳ ପାରିବାରିକ ବିବାଦ ଓ ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଟୁଟୁଙ୍କ ପତ୍ନୀ ରୋଜି ନାହାକ ଯେଉଁମାନଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି ପୁଲିସ ସେମାନଙ୍କୁ ସ୍କାନର୍ରେ ରଖିଛି। ବ୍ରହ୍ମପୁର ଭାବାନଗର ବାପପୁଅ ସମେତ ୬ଜଣ ଟୁଟୁଙ୍କୁ ଅପହରଣ କରି ନେଇଥିବା ରୋଜି ତାଙ୍କର ଏତଲାରେ ଦର୍ଶାଇଛନ୍ତି। ଏଣୁ ପୁଲିସ ଉଭୟ ବାପପୁଅକୁ ଠାବ କରିବାକୁ ଲାଗି ପଡ଼ିଛି।
କିଛି ଯୁବକଙ୍କୁ ଥାନାରେ ଅଟକ ରଖିଛି। ହେଲେ କିଛି ସ୍ପଷ୍ଟ କରୁ ନାହିଁ। ସେହିପରି ଘଟଣାରେ ବ୍ୟବହୃତ ଜାଇଲୋ କାର୍ର ନମ୍ବର ଯାଞ୍ଚ କରି ଗାଡ଼ି ମାଲିକଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। ଟୁଟୁଙ୍କୁ ଗତ ୧୬ତାରିଖରେ ଅପହରଣ କରାଯାଇଥିଲା। ଟୁଟୁଙ୍କ ପତ୍ନୀଙ୍କ ଏତଲାକୁ ନେଇ ପୁଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସେପଟେ ସେହିଦିନ ସଂଧ୍ୟାରେ ପାଟପୁର ଥାନା ଅନ୍ତର୍ଗତ ଝରଣ ଗାଁ ନିକଟସ୍ଥ କାଜୁ ଜଙ୍ଗଲ ନିକଟରେ ଏକ ଜାଇଲୋ କାର୍ ଛିଡ଼ା ହୋଇଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଗ୍ରାମବାସୀ ସେଠାକୁ ଯାଇ ଦେଖିବା ବେଳେ କିଛି ଲୋକ ଜଣେ ଯୁବକଙ୍କ ମୃତଦେହ ପୋଡ଼ିବାକୁ ଉଦ୍ୟମ କରୁଥିଲେ। ଗ୍ରାମବାସୀ ପାଟି କରିବାରୁ ସେହି ଲୋକମାନେ କାର୍ ଧରି ସେଠାରୁ ଚମ୍ପଟ ମାରିଥିଲେ। ରାତିରେ ପାଟପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ମୃତ ବ୍ୟକ୍ତି ଜଣକ ଟୁଟୁ ବୋଲି ଜଣାପଡ଼ିଥିଲା। ଟୁଟୁଙ୍କୁ କେଉଁମାନେ ଓ କାହିଁକି ହତ୍ୟା କଲେ ସେ ଦିଗରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/1-18.jpg)