ପାଟଣାଗଡ଼ : ଆଉ ମାସକ ପରେ ହୋଇଥାନ୍ତା ବାହାଘର। ଜୀବନସାଥୀ ଭାବେ ଘରସଂସାର କରିଥାନ୍ତେ। ଉଭୟ ପରିବାର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ଏଥିପାଇଁ ଖୁବ ଆନନ୍ଦିତ ଥଲେ ଯୁବକ ଯୁବତୀ। ହେଲେ ବିଧିର ବିଧାନ ଥିଲା ଅଲଗା। ଗୁରବାର ଏକ ପିକ୍ଅପ୍ ଭ୍ୟାନ୍ ଧକ୍କା ଦେବାରୁ ବାଇକ୍ରେ ଥିବା ଏହି ଯୁବକ ଯୁବତୀ ସାଥୀ ହୋଇ ଆରପାରିକୁ ଚାଲି ଯାଇଛନ୍ତି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼- କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାର ସାଲେପାଲି ଛକଠାରେ ଘଟିଥିବା ଏହି ଦୁର୍ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ହାତୀବନ୍ଧା ଗ୍ରାମର କ୍ଷୀରସିନ୍ଧୁ କାଣ୍ଡ ଓ ସେହି ଥାନା ଅନ୍ତର୍ଗତ ଠକପାଲି ଗ୍ରାମର ବୈଶାଳୀ ଭୋଇ(୨୨ବର୍ଷ)ଙ୍କ ବାହାଘର ସ୍ଥିର ହୋଇ ସାରିଥିଲା। ଆସନ୍ତା ମଇ ମାସରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ। ଗୁରୁବାର କୌଣସି କାମରେ ଉଭୟେ ବାଇକ୍ (ଓଡି ୦୩ ଏ ୩୪୮୭) ଯୋଗେ ବଲାଙ୍ଗୀର ଯାଇଥିଲେ। କାମ ସାରି ନିଜ ଗ୍ରାମ ଅଭିମୁଖେ ଫେରୁଥିଲେ। ପାଟଣାଗଡ଼-କଣ୍ଟାବାଞ୍ଜି ରାସ୍ତାର ସାଲେପାଲି ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ (ଓଡି ୦୩- ୪୪୯୬) ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ କ୍ଷୀରସିନ୍ଧୁ ଓ ବୈଶାଳୀ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଉଥିଲା। ହେଲେ ରାସ୍ତାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ବ୍ୟବଚ୍ଛେଦ ପରେ ଉଭୟଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏ ସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/accident-helpline.png)