ପ୍ରେମ ପାଇଁ ଜୀବନ ହାରିଲେ ଯୁବକ-ଯୁବତୀ

ମାଧପୁର/ଆଠମଲ୍ଲିକ : ଦିନ କେଇଟା ପରେ ପାଦରେ ଅଳତା, ହାତରେ ଶଙ୍ଖା ଓ ମଥାରେ ସିନ୍ଦୂର ଲଗାଇ ବଧୂ ବେଶ‌ରେ ସଜେଇ ହୋଇଥାନ୍ତେ। ଗାଁ ସାଙ୍ଗସାଥୀଙ୍କଠାରୁ ବିଦାୟ ନେଇ ଶାଶୂଘରକୁ ଯିବା ପାଇଁ ତିଥି ସ୍ଥିର ହୋଇ ସାରିଥିଲା। କିନ୍ତୁ ପ୍ରେମ ଆଗରେ ତୁଚ୍ଛ ହୋଇଗଲା ଶଙ୍ଖା, ସିନ୍ଦୂର। ବାହା ହୋଇ ନୂଆ ଦୁନିଆ ଗଢ଼ିବା ବଦଳରେ ପ୍ରେମ ପାଇଁ ଜୀବନକୁ ବଳି ଦେଇଦେଲେ ଯୁବତୀ। ସ୍ବାମୀଙ୍କ ସହ ସଂସାର କରିବା ଆଗରୁ ପ୍ରେମିକଙ୍କ ବାହୁ ବନ୍ଧନରେ ସବୁ ଦିନ ପାଇଁ ଆଖି ବୁଜିଦେଲେ। ଅନୁଗୁଳ ଜିଲ୍ଲା କିଆକଟା ଅଞ୍ଚଳରେ ଏକ ପ୍ରେମ କାହାଣୀର ଏମିତି ଦୁଃଖଦ ଅନ୍ତ ଘଟିଛି। ଯୁବତୀଙ୍କ ବିବାହ ସ୍ଥିର ହୋଇଯିବା ପରେ ସେ ଓ ତାଙ୍କ ପ୍ରେମିକ ରଶି ଲଗାଇ ଏକା ସାଙ୍ଗରେ ଆତ୍ମହତ୍ୟା କରିଛନ୍ତି। ସୋମବାର ମଧ୍ୟାହ୍ନରେ ବରଡ଼ାକଟା ଗ୍ରାମର ଲୋକମାନେ ଗାଁ ପୋଖରୀ ପାଖରେ ଥିବା ଏକ ମହୁଲ ଗଛରେ ଦୁଇଜଣ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ବିଜୁଳି ବେଗରେ ଏହି ଖବର ପ୍ରଚାରିତ ହୋଇଯିବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଲାଗିଥିଲା। ପାଖକୁ ଯାଇ ଦେଖିବା ପରେ ଏହା ଗାଁର ମଦନ କ୍ଷେତୀଙ୍କ ପୁଅ ମାନସ କ୍ଷେତୀ ବୋଲି ଜଣାପଡ଼ିଥିଲା। ତାଙ୍କ ସହ ବୌଦ୍ଧ ଜିଲ୍ଲା ମାଳିସାହି ନିବାସୀ ରାମଚନ୍ଦ୍ର ପାଢୀଙ୍କ ସାନ ଝିଅ ରୂପାଲି ପାଢୀଙ୍କ ମୃତଦେହ ମଧ୍ୟ ଝୁଲୁଥିଲା। ଉଭୟଙ୍କ ଭିତରେ ପ୍ରେମ ସଂପର୍କ ଥିଲାବେଳେ ରୂପାଲିଙ୍କ ବିବାହ ସ୍ଥିର ହୋଇଯିବା ପରେ ସେ ଆତ୍ମହତ୍ୟା କରିଥିବା ଗ୍ରାମବାସୀ କହିଛନ୍ତି। ଉଭୟେ ଗୋଟିଏ ରେଶମ ରଶିରେ ବେକରେ ଫାଶ ଲଗାଇ ଆତ୍ମହତ୍ୟା କରିଥିଲାବେଳେ ରୂପାଲି ଗୋଟିଏ ନୀଳ ରଙ୍ଗର ପଞ୍ଜାବୀ ସାଲୁଆର ପିନ୍ଧିଛନ୍ତି। ମାନସ ଏକ କଳା ରଙ୍ଗର ପ୍ୟାଣ୍ଟ ଓ ଫିକା ନୀଳ ରଙ୍ଗର ଟି ସାର୍ଟ ପିନ୍ଧିଥିଲେ। ଗୋଟିଏ ରେଶମ ରଶିରେ ଉଭ‌ୟ‌େ ସାମନାସାମନି ହୋଇ ଓହଳିଥିଲେ। ରୂପାଲିଙ୍କ ଏକ ନାଲି ଓଢଣିରେ ଉଭୟେ ପରସ୍ପରର ଅଣ୍ଟାକୁ ବନ୍ଧାବନ୍ଧି ହୋଇ ପରସ୍ପରକୁ ଆଲିଙ୍ଗନ କରିବା ଢଙ୍ଗରେ ଝୁଲି ପଡ଼ିଥିଲେ। ଗଛ ମୂଳରେ ଏକ ନାଲି ରଙ୍ଗର ଗାମୁଛା, ଚପଲ ଓ ଏକ ପାଣି ବୋତଲ ପଡ଼ିଥିଲା। ଖବର ପାଇ କିଆକଟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ମାଳିସାହି ନିବାସୀ ରାମଚନ୍ଦ୍ର ପାଢୀଙ୍କ ସାନ ଝିଅ ରୂପାଲି (୧୯) ପିଲା ଦିନରୁ କିଆକଟା ଥାନା କନ୍ଧପଡା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବରଡ଼ାକଟା ଗ୍ରାମର ମାମୁଘରେ ରହୁଥିଲେ। ଛୋଟବେଳେ ତାଙ୍କ ମାଙ୍କ ମୃତ୍ୟୁ ହୋଇଥିବାରୁ ସେ ମାମୁଘରେ ରହି ପଢ଼ୁଥିଲେ। ଏହି ସମୟରେ ବରଡ଼ାକଟା ଗ୍ରାମର ମଦନ କ୍ଷେତୀଙ୍କ ପୁଅ ମାନସଙ୍କ ସହିତ ତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ମାନସ ଦଶମ ପାସ୍ କରିବାପରେ ରାଜ୍ୟ ବାହାରକୁ ଯାଇ କାମ କରୁଥିଲେ। କରୋନା ପାଇଁ ସେ ଘରକୁ ଫେରି ଆସିବା ପରେ ସେମାନଙ୍କ ପ୍ରେମ ସଂପର୍କ ଅଧିକ ନିବିଡ଼ ହୋଇଥିଲା। ଏପଟେ ରୂପାଲି ଜଣେ ମେଧାବୀ ଛାତ୍ରୀ ଥିଲେ। ଦଶମ ପରୀକ୍ଷାରେ ୯୦ ପ୍ରତିଶତ ମାର୍କ ରଖି ପାସ୍ କରିବା ପରେ ମାଧପୁର ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପାସ୍ କରିଥିଲେ। ଏପଟେ ଘରଲୋକ ରୂପାଲିଙ୍କ ବାହାଘର ଅନ୍ୟଜାଗାରେ ସ୍ଥିର କରି ଦେଇଥିଲେ। ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବନ୍ଧାପଦର ଗ୍ରାମର ଜଣେ ଯୁବକଙ୍କ ସହ ତାଙ୍କ ବାହାଘର ସ୍ଥିର କରାଯାଇଥିଲା। ଆଉ କିଛି ଦିନ ପରେ ନିର୍ବନ୍ଧ ହୋଇ ଜୁନ୍‌ରେ ବାହାଘର କରିବା ଲାଗି ସମସ୍ତ ପ୍ରସ୍ତୁତି ଚାଲିଥିଲା। ଏହା ଜାଣିବା ପରେ ମାନସ ଓ ରୂପାଲି ଭାଙ୍ଗି ପଡ଼ିଥିଲେ। ଭିନ୍ନ ଜାତିର ହୋଇଥିବାରୁ ସେମାନଙ୍କ ବିବାହ ସମ୍ଭବ ନୁହେଁ ବୋଲି ସେମା‌ନେ ଭାବି ନେଇଥିଲେ।

ଭୟରେ ଘରଲୋକଙ୍କୁ ମଧ୍ୟ କିଛି ଜଣାଉ ନ ଥିଲେ। ତେଣୁ କିଛି ଦିନ ହେଲା ସେମାନେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ଶେଷରେ ଉଭୟେ ଗତକାଲି ବିଳମ୍ବିତ ରାତିରେ ଘରୁ ପଳାଇ ଆସିଥିଲେ। ପରିବାର ଲୋକେ ଅନେକ ଖୋଜାଖୋଜି କରି ମଧ୍ୟ ସେମାନଙ୍କୁ ପାଇନଥିଲେ। ଉଭୟ ପରିବାରର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାଟି ଯଦିଓ ଗତକାଲି ବିଳମ୍ବିତ ରାତିରେ ଘଟିଥିଲା, ହେଲେ ଆଜି ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ଘଟଣାସ୍ଥଳରେ କିଆକଟା ପୁଲିସ ପହଞ୍ଚି ନଥିଲା।

ସମ୍ବନ୍ଧିତ ଖବର