ସୁନ୍ଦରଗଡ଼: ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶ୍ରୁତିରେ ଜଣେ ଯୁବତୀଙ୍କ ଇଜ୍ଜତ ଲୁଟି ନେବା ପରେ ପ୍ରତାରଣା କରି ଚାଲି ଯାଇଥିବା ଯୁବକକୁ ଆଜି ସୁନ୍ଦରଗଡ଼ ଟାଉନ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ, ପ୍ରହଲ୍ଲାଦ ଦେଓ (୨୪), ଘର ସଦରଥାନା ଗୁରାବସାରେ। ବୀରମିତ୍ରପୁର ଥାନା ଅଞ୍ଚଳର ଜଣେ ୨୧ ବର୍ଷିୟା ଯୁବତୀଙ୍କୁ ଅଭିଯୁକ୍ତ ଯୁବକ ୨ ବର୍ଷ ତଳେ ପ୍ରେମ ଜାଲରେ ଫସାଇ ନେଇଥିଲା। ଏହା ମଧ୍ୟରେ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀ ସହ ବହୁବାର ଶାରୀରିକ ସମ୍ପର୍କ ମଧ୍ୟ ରଖି ନେଇଥିଲା।

Advertisment

ଘଟଣାକ୍ରମରେ ପ୍ରହଲ୍ଲାଦ ଗତ ୨୦୨୦ ଅକ୍ଟୋବରରେ ଯୁବତୀଙ୍କୁ ତାଙ୍କୁ ଗାଁରୁ ନେଇ ଆସି ସ୍ଥାନୀୟ ଲୋହରାଢିପାରେ ଘର ଭଡ଼ା ନେଇ ସ୍ତ୍ରୀ ପରିଚୟରେ ରଖିଥିଲା। ମାସେ ପରେ ଯୁବତୀ ତାକୁ ସାମାଜିକ ରୀତିନୀତିରେ ବିବାହ କରିବାକୁ ବାଧ୍ୟ କରିବା ପରେ ଯୁବକ ତାର ଅସଲ ରୂପ ଦେଖାଇଥିଲା। ଯୁବତୀଙ୍କୁ ନୀଚ୍ଚ ଆଦିବାସୀ କହି ବିବାହ ପାଇଁ ବାଧ୍ୟ କଲେ ଜୀବନରେ ମାରିଦେବି ବୋଲି ଧମକ ଦେଇ ଚାଲି ଯାଇଥିଲା। ଯେତେ ନେହୁରା ହୋଇଥିଲେ ମଧ୍ୟ ସେ ଆଉ ଶୁଣିଲା ନାହିଁ। ଶେଷକୁ ଯୁବତୀ ଟାଉନଥାନାରେ ଏତଲା ଦେବା ପରେ ପୁଲିସ ୪୯୩, ୪୧୭, ୩୭୬ (୨)(ଏନ)/ ୨୯୪, ୫୦୬ ଆଇପିସି/ ୩(୧)(୬)/୩(୨)(ଭି) ଓ ଅନୁସୂଚୀତ ଜାତି, ଜନଜାତି (ପିଓଏ) ଆଇନରେ ମାମଲା ରୁଜୁ କରି ତଦନ୍ତକାରୀ ଅଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧାନ ପ୍ରତାରକ ପ୍ରହଲ୍ଲାଦକୁ ଗିରଫ କରିଥିଲେ। ଉଭୟଙ୍କ ଡାକ୍ତରୀ ମଇନା ପରେ ପ୍ରହଲ୍ଲାଦକୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟ ଜାମିନ ନାମଞ୍ଜୁର କରି ତାକୁ ସୁନ୍ଦରଗଡ଼ ଜେଲ୍କୁ ପଠାଇ ଦେଇଛନ୍ତି।