ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅଞ୍ଚଳରେ ଜଣେ ନିଖୋଜ ନାବାଳିକାକୁ ପୁଲିସ ଉଦ୍ଧାର କରିଛି। ଏହି ମାମଲାରେ ପୁଲିସ ଜଣେ ବିବାହିତ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲା ମିଦଏପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚରମୁଲା ଗ୍ରାମର ମାନସିଂଘ ହରିଜନ (୨୨)।
ସୂଚନା ଅନୁଯାୟୀ ନାବାଳିକା ଜଣକ ଅଗଷ୍ଟ ୮ ତାରିଖରୁ ନିଖୋଜ ଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ଝିଅର କୌଣସି ଖବର ପାଇଁ ନଥିଲେ। ଏ ନେଇ ତାଙ୍କ ମା’ ସୂର୍ଯ୍ୟ ହରିଜନ ମଇଦଳପୁର ପାଣ୍ଡିରେ ଝିଅ ନିଖୋଜ ରହିଥିବା ଅଭିଯୋଗ କରିଥିଲେ।
ବୁଧବାର ଦିନ ସନ୍ଧ୍ୟାରେ ନାବାଳିକା ସହ ବିବାହିତ ଯୁବକ ମାନସିଂଘକୁ ପାପଡାହାଣ୍ଡି ମୃଗ ବିହାର ନିକଟରେ ରହିଥିବା ପୁଲିସ ଖବର ପାଇ ଥାନାରେ ଆଣି ପଚରାଉଚରା କରିଥିଲା। ନାବାଳିକାକୁ ଯୁବକ ମାଲକାନଗିରି ଅଞ୍ଚଳ ନେଇ ଥିବା ନାବାଳିକା ଅଭିଯୋଗ କରିଥିଲା। ଏନେଇ ପାପଡାହାଣ୍ଡି ଥାନାରେ ମାମଲା ରୁଜୁ କରି ଯୁବକଙ୍କୁ କୋର୍ଟ ଚାଲାଣ କରିଥିବା ତଦନ୍ତ ଅଧିକାରୀ ଶିବଜୀ ପଣ୍ଡା ସୂଚନା ଦେଇଛନ୍ତି।