ଶିଶୁ ପୁତ୍ରକୁ ବିକ୍ରି କରିଦେବାକୁ ଧମକ ଦେଇ ଯୁବକ ଗିରଫ

ଦେବଗଡ଼ : ଜଣେ ମା’ ଛେଉଣ୍ଡ ଶିଶୁପୁତ୍ରକୁ ଟିଉସନ୍‌ କରିବା ଆଳରେ ପ୍ରଥମେ ଶିଶୁର କେୟାରଟେକର୍‌ ଥିବା ଜଣେ ମହିଳାଙ୍କ ପ୍ରଭାବିତ କରିବା ଓ ପରେ ଉକ୍ତ ମହିଳାଙ୍କ ସହ ମିଶି ଶିଶୁ ପୁତ୍ରଙ୍କ ପିତାଙ୍କୁ ଅର୍ଥ ଦାବି କରିବା ଏବଂ ଏଥିରେ ବ୍ୟତିକ୍ରମ ହେଲେ ପୁତ୍ରକୁ ଅନ୍ୟ ରାଜ୍ୟରେ ବିକ୍ରି କରିଦେବା ଧମକ ଦେଇ ଜଣେ ଯୁବକ ଗିରଫ ହୋଇଛି।

ପୁଲିସ ସୂଚନା ଅନୁଯାୟୀ ଦିଲ୍ଲୀରେ ଏକ ଘରୋଇ କମ୍ପାନିରେ କାମ କରୁଥିବା ଦୟାନିଧି ସାହୁ ନାମକ ଜଣେ ବ୍ୟକ୍ତିଙ୍କ କିଛି ବର୍ଷ ପୂର୍ବେ ଦିଲ୍ଲୀରେ ରହୁଥିବା ଦେବଗଡ଼ ପୌରାଞ୍ଚଳର ଜଣେ ମହିଳାଙ୍କ ସହ ପରିଚୟ ହୋଇଥିଲା। ସେହି ସମୟରେ ଦୟାନିଧିଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିବା ଯୋଗୁଁ ତାଙ୍କର ପୁତ୍ରର ଲାଳନ ପାଳନ ପାଇଁ ସଂପୃକ୍ତା ମହିଳା ଇଚ୍ଛା ପ୍ରକାଶ କରିବାରୁ ଦୟାନିଧି ଏଥିରେ ରାଜି ହୋଇ ତାଙ୍କୁ ତାଙ୍କର ପୁତ୍ର ସନ୍ତାନକୁ ଜିମା ଦେଇଥିଲେ। ଏଥି ସହ ଶିଶୁ ପୁତ୍ରର ଭବିଷ୍ୟତ ଏବଂ ଲାଳନ ପାଳନ ପାଇଁ ବ୍ୟାଙ୍କରେ ଏକ ସ୍ଥାୟୀ ଜମା କରିବା ସହ ଏଥିରୁ ମିଳିବାକୁ ଥିବା ସୁଧ ଅର୍ଥ ମହିଳାଙ୍କୁ ଦେଇଥିଲେ। ଏପରିକି ଦୟାନିଧି ତାଙ୍କ ପତ୍ନୀଙ୍କ ସୁନା ଗହଣା ମଧ୍ୟ ସଂପୃକ୍ତା ମହିଳାଙ୍କ ଜିମା ଦେଇଥିଲେ। ତେବେ କିଛିଦିନ ବିତିବା ପରେ ଉକ୍ତ ଶିଶୁକୁ ଟିଉସନ୍‌ କରିବା ଆଳରେ ପୌରାଞ୍ଚଳ ମହୁଲଢିପା ସାହିର ଆଲୋକ ପ୍ରସାଦ ନାମକ ଜଣେ ଯୁବକ ସଂପୃକ୍ତା ମହିଳାଙ୍କୁ ମନାଇବା ପରେ ତାଙ୍କ ସହ ମିଶି ଚଂଚକତା କରି ଦୟାନିଧି ପୁଅ ପାଇଁ ରଖିଥିବା ଜମା ରାଶିକୁ ହଡ଼ପ କରିଥିଲେ। ପରେ ଆଲୋକ ଦୟାନିଧିଙ୍କୁ ଫୋନ ଯୋଗେ ବିଭିନ୍ନ ସମୟରେ ଟଙ୍କା ଦାବି କରିବା ସହ ଟଙ୍କା ନ ଦେଲେ ଶିଶୁ ପୁତ୍ରକୁ ବିକ୍ରି କରିଦେବ ବୋଲି ଧମକ ଦେଉଥିଲା।

ଏ ନେଇ ଦୟାନିଧି ଦିଲ୍ଲୀରେ ଥାଇ ମେଲ ଯୋଗେ ନ୍ୟାୟ ପାଇଁ ଜିଲ୍ଲା ପୁଲିସଙ୍କ ନିକଟରେ ଗୁହାରି କରିଥିଲେ। ଶନିବାର ଦୟାନିଧି ଦିଲ୍ଲୀରୁ ଦେବଗଡ଼ ପହଞ୍ଚିବା ପରେ ନିଜ ପୁତ୍ରକୁ ଦେଖା କରିବା ପାଇଁ ସଂପୃକ୍ତା ମହିଳାଙ୍କ ଘରକୁ ଯାଇଥିଲେ। ସେଠାରେ ପୂର୍ବରୁ ଥିବା ଆଲୋକ ଟଙ୍କା ଦାବି କରିବାରୁ ଦୟାନିଧି ଏହାର ପ୍ରତିବାଦ କରିଥିଲେ। ଏହାକୁ ନେଇ ଆଲୋକ ଓ ଦୟାନିଧିଙ୍କ ମଧ୍ୟରେ ବଚସା ହୋଇଥିଲା। ଦୟାନିଧି ଚିତ୍କାର ଶୁଣି ପଡୋଶୀ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଦେବଗଡ଼ ଥାନାରେ ସୂଚନା ଦେଇଥିଲେ। ପିସିଆର୍‌ ଘଟଣାସ୍ଥଳରେ ପହଞ୍ଚି ଦୟାନିଧିଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଆଲୋକକୁ ଦେବଗଡ଼ ଥାନାରେ ଅଟକ ରଖିଥିଲା। ଘଟଣା ସମ୍ପର୍କରେ ଦୟାନିଧି ଲିଖିତ ଅଭିଯୋଗ କରିବା ପରେ ପୁଲିସ ଉଭୟ ଆଲୋକ ଓ ସଂପୃକ୍ତା ମହିଳାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଆଲୋକକୁ ଗିରଫ କରିଛି।

ସମ୍ବନ୍ଧିତ ଖବର