ବିବାହର ପ୍ରଲୋଭନ ଦେଖାଇ ସୋରରୁ ନାବାଳିକାକୁ ଅପହରଣ କରିଥିଲା ଯୁବକ, ଭୁବନେଶ୍ବରରୁ ଗିରଫ

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ଗୋପୀନାଥପୁର ପଞ୍ଚାୟତ ଆକୁଳି ଗ୍ରାମର ଜଣେ ନାବାଳିକାକୁ ଇନଷ୍ଟାଗ୍ରାମରେ ପ୍ରେମକରି ଅପହରଣ କରିଥିବା ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ଆୟତପୁର ଗ୍ରାମର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆୟତପୁର ଗ୍ରାମର ସୁନିଲ ନାୟକଙ୍କ ପୁଅ ପ୍ରଶାନ୍ତ ନାୟକ (୧୯)ଙ୍କର ଆକୁଳି ଗ୍ରାମର ଜଣେ ନାବାଳିକା ସହ ଇନଷ୍ଟାଗ୍ରାମ ମାଧ୍ୟମରେ ପରିଚିତ ହେବାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ଗତ ଅକ୍ଟୋବର ମାସ ୭ ତାରିଖରେ ନାବାଳିକା ଜଣଙ୍କ ଘରୁ ଉକ୍ତ ଯୁବକଙ୍କ ସହ ଫେରାର ହୋଇଯାଇଥିଲା।

ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇ ଅକ୍ଟୋବର ୧୭ ତାରିଖରେ ସୋର ଥାନାରେ ଅଭିଯୋଗ କରିବା ପରେ ଅଭିଯୋଗ ମୂଳେ ସୋର ପୁଲିସ ୪୪୬/୨୨ ରେ ଏକ ମାମଲା ରୁଜ୍ଜୁ କରି ନାବାଳିକାଙ୍କ ମୋବାଇଲକୁ ବାରମ୍ବାର ଫୋନ ଆସିଥିବା ଏକ ମୋବାଇଲ ନମ୍ବରକୁ ଟ୍ରାକିଙ୍ଗ କରି ଭୁବନେଶ୍ୱର ୟୁନିଟ-୯ ମା ମଙ୍ଗଳା ବସ୍ତିରେ ପହଞ୍ଚିଥିଲା। ସେଠାରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ପ୍ରଶାନ୍ତକୁ ଗିରଫ କରି ସୋର ଥାନାକୁ ଆଣିଥିଲେ। ଆଜି ଅପରାହ୍ନରେ ଉଭୟଙ୍କର ଡାକ୍ତରୀ ମାଇନା ପରେ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କରିଥିବା ଅଭିଯୋଗରେ ପ୍ରଶାନ୍ତକୁ କୋର୍ଟ ଚାଲାଣ କରିଥିବା ବେଳେ ନାବାଳିକାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର