ମହାନଦୀର ମୁଣ୍ଡଳୀରୁ ନିଖୋଜ ଯୁବକଙ୍କୁ ବାରଙ୍ଗରୁ ଉଦ୍ଧାର କଲା ଦମକଳ ବାହିନୀ

ଆଠଗଡ଼: ମହାନଦୀ କୂଳରେ ସାଙ୍ଗ ମୋବାଇଲ୍‌ରେ କଥା ହେବା ସମୟରେ ସତର୍କତା ଅବଲମ୍ବନ ନକରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଅବହେଳା ଯୋଗୁଁ ମୁଣ୍ଡଳୀ ବ୍ରିଜ ନିକଟରେ ଆଜି ଅପରାହ୍ନରେ ଜଣେ ଯୁବକ ଭାସିଯାଇ ନିଖୋଜ ହେବାର କିଛି ଘଣ୍ଟା ପରେ ଦମକଳ ବାହିନୀ ଉଦ୍ଧାର କରିଛି।

ସୂଚନା ଅନୁସାରେ କଟକ ଜିଲ୍ଲା ଆଠଗଡ଼ ଥାନା ନୂଆବନ୍ଧ ଗ୍ରାମର ସନ୍ତୋଷ ମୁଦୁଲିଙ୍କ ପୁଅ ରତିରଂଜନ ମୁଦୁଲି ଓ ସେହି ଗାଁର ସ୍ୱର୍ଗତ ଲୋକନାଥ ସାହୁଙ୍କ ପୁଅ ସୁନାକର ସାହୁ ଆଜି ବାଇକରେ ଭୁବନେଶ୍ୱର ଯାଇଥିଲେ। ଅପରାହ୍ନରେ ଉଭୟ ଫେରୁଥିବା ବେଳେ ମୁଣ୍ଡଳୀ ବ୍ରିଜ ନିକଟରେ ଅଟକି ଥିଲେ। ଏହି ସମୟରେ ସୁନାକର ଗାଡ଼ି ରଖି ଫୋନରେ କଥାବାର୍ତ୍ତା ହେଉଥିବା ବେଳେ ସାଥୀରେ ଥିବା ରତିରଂଜନ କୌଣସି କାରଣ ବଶତଃ ନଦୀକୁ ଖସି ପଡ଼ିଥିଲେ। ଏ ବିଷୟରେ ଆଠଗଡ଼ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଆଠଗଡ଼ ଅଗ୍ନିଶମ ବିଭାଗ ପକ୍ଷରୁ ତାଙ୍କୁ ବାରଙ୍ଗ ନିକଟରୁ ଉଦ୍ଧାର କରାଯାଇଛି।

ପ୍ରାୟ ୬ ମାସ ପୂର୍ବରୁ ଭୁବନେଶ୍ୱରର ଜଣେ ଯୁବତୀ ମୁଣ୍ଡଳୀ ବ୍ରିଜରୁ ମହାନଦୀର ଜଳରାଶିକୁ ଡେଇଁ ପଡ଼ିଥିଲେ। ଅଳ୍ପ ସମୟ ମଧ୍ୟରେ ତାଙ୍କୁ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିଲେ। ତାଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସଂପୃକ୍ତ ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ। ଏହି ସ୍ଥାନରେ ୫ ବର୍ଷ ମଧ୍ୟରେ ଅନେକ ଥର ଦୁର୍ଘଟଣା ଘଟିସାରିଛି। ଜୀବନ ହାରିଥିବା ବ୍ୟକ୍ତି ବିଶେଷମାନଙ୍କ ମଧ୍ୟରେ ଅଧିକ ଯୁବପୀଢ଼ି ଅଛନ୍ତି। ମାନସିକ ଚାପରେ ହେଉ ଅଥବା ଅନ୍ୟ କୌଣସି କାରଣକୁ କେନ୍ଦ୍ର କରି ଅମୂଲ୍ୟ ଜୀବନକୁ ବାଜି ଲଗାଉଛନ୍ତି।

ସମ୍ବନ୍ଧିତ ଖବର