ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ‘ରାମ’ର ଅରିଜିନାଲ ଭିଡିଓକୁ ଜଣେ ବ୍ୟକ୍ତି ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ ପୋଷ୍ଟ କରିବା ମହଙ୍ଗା ପଡ଼ିଛି। ଏହି ଘଟଣାରେ ଗଂଜାମ ଜିଲ୍ଲାର ଜଣେ ଯୁବକ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ଶିବରାମ ନାହାକ।

Advertisment

ସୂଚନା ଅନୁସାରେ ଚଳଚ୍ଚିତ୍ର ‘ରାମ୍‌’ର ଅରିଜିନାଲ ଭିଡିଓକୁ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା କରାପଲ୍ଲୀ ଗ୍ରାମର ଜଣେ ପାଣି ପାଇପ ମିସ୍ତ୍ରୀ ଶିବରାମ ନାହାକ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଅପଲୋଡ କରିଥିଲେ। ତେବେ ବେଆଇନ ଭାବେ ଅରିଜିନାଲ ଫିଲ୍ମ ଭିଡିଓ ଅପଲୋଡ଼ କରାଇବା ନେଇ ଅଭିନେତା ତଥା ପ୍ରଯୋଜକ ଅରିନ୍ଦମ ରୟ ସାଇବର ଥାନାରେ ଅଭିଯୋଗ ଆଣିଥିଲେ। ଶ୍ରୀ ରୟ ଅଭିଯୋଗରେ ଦର୍ଶାଇଥିଲେ ଯେ, ତାଙ୍କର ଅରିଜିନାଲ ଚ୍ୟାନେଲ ‘ରତ୍ନା ଫିଲ୍ମସ’ରୁ ଭିଡିଓ ଚୋରି କରି ଶିବରାମ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ପୋଷ୍ଟ କରିଛନ୍ତି। ସାଇବର ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଶିବରାମଙ୍କୁ ଗିରଫ କରିଛି। ଗିରଫ ପରେ ସାଇବର ଅପରାଧ ଶାଖା ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରୁଛି।

ଛତ୍ରପୁର ଆଇଆଇସି ନିରୋଦ୍‌ କୁମାର ଦାଶ କହିଛନ୍ତି ଯେ, ଗଂଜାମ ଏସ୍‌ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ଆମେ ଅଭିଯୁକ୍ତ ଶିବରାମ ନାହାକଙ୍କୁ ଗିରଫ କରି କଟକ ସାଇବର ଥାନାକୁ ହସ୍ତାନ୍ତର କରିଛୁ।

ସୂଚନାଯୋଗ୍ୟ, ଓଡ଼ିଆ ଚଳଚ୍ଚିତ୍ର ‘ରାମ୍‌’ ଗତ ଅକ୍ଟୋବର ମାସ ଦଶହରା ଅବସରରେ ରିଲିଜ୍‌ ହୋଇଥିଲା। ଓଲିଉଡ ଅଭିନେତା ଅରିନ୍ଦମ ରୟ ଏହି ଫିଲ୍ମରେ ନାୟକ ଅଛନ୍ତି। ଫିଲ୍ମରେ ଅରିନ୍ଦମଙ୍କ ସହିତ ବଙ୍ଗୀୟ ସୁନ୍ଦରୀ ରୁପ୍ସାଙ୍କ ଯୋଡ଼ି ଦର୍ଶକଙ୍କୁ ବେଶ୍‌ ଆକର୍ଷିତ କରିଛି। ରତ୍ନା ବ୍ୟାନରର ଚତୁର୍ଥ ଅବଦାନ ତଥା ଅରିନ୍ଦମ ରୟଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ପତି। ଫିଲ୍ମର ଗୀତଗୁଡ଼ିକୁ ସଂଗୀତରେ ସଜାଇଛନ୍ତି ଯୁବ ସଂଗୀତ ନିର୍ଦ୍ଦେଶକ ଅସଦ ନିଜାମ୍‌ ଓ ଲିଙ୍କନ୍‌।