ରାଇଘର: ନକ୍ସଲ ବିରୋଧି ଭିଡିଓ ୟୁଟ୍ୟୁବରେ ଅପ୍ଲୋଡ୍ କରିବା ସହିତ ପୁଲିସ ଇନ୍ଫରମର୍ ଅଭିଯୋଗରେ ନକ୍ସଲମାନେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ଯୁବକ ଜଣକଙ୍କ ହେଲେ ହିନ୍ଦୁ ମାର୍କମ (୩୫)। ସେ ପରିଚୟ ମିଳିଥିବା ବେଳେ ସେ ଛତିଶଗଡର ଭୁତବେଡ଼ା ଗ୍ରାମର ଧର୍ମୁ ମାର୍କମଙ୍କ ପୁଅ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ହିନ୍ଦୁ ମାର୍କମ ଏକ ବାଇକ୍ (ସିଜି ୦୫ ଏ ଏନ ୦୧୩୨) ଯୋଗେ ଛତିଶଗଡ଼ ଅଂଚଳରୁ ରାଇଘର ଆଡ଼କୁ ଆସୁଥିବା ବେଳେ ରେଙ୍ଗାଭାଟି ଓ ସୋନପୁର (ଡିଏନକେ) ମଝି ରାସ୍ତାରେ ଏକ ବାଇକରେ ତିନି ଜଣ ନକ୍ସଲ ପିଛା କରି ଅଟକାଇଥିଲେ। ସେଠାରେ ସେମନେ ହିନ୍ଦୁଙ୍କୁ ଏକ ରିଭଲଭର୍ ସାହାଯ୍ୟରେ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳି ଚାଳନା କରିଥିବା ବେଳେ ହିନ୍ଦୁ ରାମ ବାଇକ ଛାଡ଼ି ନିକଟସ୍ଥ ଜଙ୍ଗଲକୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ଠିକ୍ ଏହି ସମୟରେ ହିନ୍ଦୁଙ୍କ ଡାହାଣ କାନ ନିକଟରେ ଗୁଳି ବାଜି ଖସି ଯାଇଥିଲା। ଫଳରେ ସେ ସେଠାରେ ଲହୁ ଲୁହାଣ ହୋଇ ତଳେ ପଡି ଯାଇଥିଲେ। ୧୦୮ ଆମ୍ବୁଲାନସ୍ ଖରାପ ହୋଇଥିବା ବେଳେ ରାଇଘର ମେଡିକାଲରେ ଥିବା ଆମ୍ବୁଲାନସ୍ ଡକାଇ ଥିଲେ। କିନ୍ତୁ ଦୀର୍ଘ ଏକ ଘଣ୍ଟା ଧରି ସେ ସେହି ରାସ୍ତା କଡ଼ରେ ଛଟପଟ ହେଉଥିବା ବେଳେ ନକ୍ସଲଙ୍କ ଭୟରେ କେହି ସାହାଯ୍ୟର ହାତ ବଢାଇ ନଥିଲେ।
ଏହି ଘଟଣା ପ୍ରଚାର ହେବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ହିନ୍ଦୁ ସେଠାରେ ସେ ପ୍ରାୟ ଏକ ଘଣ୍ଟା ଧରି ଛଟପଟ ହେବା ପରେ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ଗାଡ଼ି ଡକାଇ ସେଥିରେ ପ୍ରଥମେ ରାଇଘର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ପରେ ଗୁରୁତର ଥିବାରୁ ତାଙ୍କୁ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।
ହିନ୍ଦୁ ଦୀର୍ଘ ଦିନ ଧରି ନକ୍ସଲଙ୍କ ଭୟରେ ରାଇଘର ଅଂଚଳରେ ରହୁଥିଲେ। ସେ ନକ୍ସଲ ବିରୋଧି ଭିଡିଓ ୟୁଟ୍ୟୁବ୍ରେ ପୋଷ୍ଟ କରିବା ସହିତ ଛତିଶଗଡ଼ ପୁଲିସଙ୍କ ଇନ୍ଫରମର୍ ରହିଥିଲେ ବୋଲି ପୁଲିସ ସୂଚନା ଦେଇଛି। ଆଜି ଏହି ଗୁଳିକାଣ୍ଡରେ ଉଦନ୍ତୀ ଏରିଆ କମିଟିର ହାତ ଥିବା ପୁଲିସ ପ୍ରକାଶ କରିଛି। ଉମରକୋଟ ଏସଡିପିଓ ଶୁଭେନ୍ଦୁ କୁମାର ଶବର ରାଇଘର ଆସି ଘଟଣାର ତଦନ୍ତ ଚଳାଇଥିବା ବେଳେ ରାଇଘର ଥାନା ଅଧିକାରୀ ଗୋବିଂଦ ଚନ୍ଦ୍ର ବୁରୁଦା ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।