ଯୁବଚାଷୀଙ୍କୁ ଶୁଣ୍ଢରେ କଚାଡ଼ି ଦେଲା ଦନ୍ତା; ଚିତ୍କାର ଶୁଣି ଦୌଡି ଆସିଲେ ଲୋକେ, ପଳାଇଗଲା ହାତୀ

ଗଁଦିଆ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଅଞ୍ଚଳରେ ଦିନକୁ ଦିନ ହାତୀମାନଙ୍କର ପାଦ୍ରୁର୍ଭାବ ବଢିବାରେ ଲାଗିଛି। ହାତୀ ଓ ମଣିଷ ମଧ୍ୟରେ ଅଘୋଷିତ ଯୁଦ୍ଧ ଚାଲିଛି। ଏହାଦ୍ୱାରା ମଣିଷ ଅନେକ କ୍ଷତିର ଶିକାର ହେଉଛି। କପିଳାଶ ରେଞ୍ଜ ଅନ୍ତର୍ଗତ ଲଟାବାଇଶିଆ ଗ୍ରାମର ଯୁବକ ବରୁଣ ସ୍ୱାଇଁ (୪୪) ପ୍ରତିଦିନ ପରି ଗତକାଲି ରାତିରେ ନିଜର ଘରପାଖରେ ଥିବା ଶାଗ ବିଲକୁ ଜଗିବା ନିମନ୍ତେ ଯାଇଥିଲେ। ହେଲେ ସେଠାରେ ଫସଲ ଖାଇବା ନିମନ୍ତେ ଆସିଥିବା ଏକ ଦନ୍ତା ହାତୀର ଆକ୍ରମଣର ଶିକାର ହୋଇଥିଲେ। ହଠାତ ହାତୀଟି ତାର ଶୁଣ୍ଢରେ ତାଙ୍କୁ ଟେକି ଫୋପାଡ଼ି ଦେଇଥିଲା।

ହାତୀ ଆକ୍ରମଣର ଶିକାର ହୋଇଥିବା ବରୁଣର ପାଟି ଶୁଣି ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି ଯିବାରୁ ହାତୀଟି ସେଠାରୁ ପଳାଇ ଯାଇଥିଲା। ଏହାପରେ ଗ୍ରାମବାସୀ ବରୁଣଙ୍କୁ ଆହତ ଅବସ୍ଥାରେ ସେଠାରୁ ଉଦ୍ଧାର କରିଥିଲେ। ତାଙ୍କର ଅଣ୍ଟାରେ ଗଭୀର ଆଘାତ ଲାଗିଥିବାର ଜଣାଯାଇଛି ।ଆମ୍ବୁଲାନ୍ସରେ ପ୍ରଥମେ ତାଙ୍କୁ ଢେ଼ଙ୍କାନାଳ ମେଡିକାଲକୁ ଚିକିତ୍ସା ନିମନ୍ତେ ପଠା ଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର