ରାଉରକେଲା: ଆଜି ସନ୍ଧ୍ୟାରେ ଶକ୍ତନଗର ଚମ୍ପାଟୋଲିରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ପରିଚୟ ମିଳିପାରିନାହିଁ। ମିଳିଥିବା ସୂଚନାଅନୁସାରେ, ଚମ୍ପାଟୋଲିରେ ଜଣେ ଯୁବକ ଭଡ଼ାଘରେ ରହୁଥିଲେ। ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ କିଛି ଦୁର୍ବୃତ୍ତ ଯୁବକଙ୍କ ମୁଣ୍ଡ, ଛାତି, ଅନ୍ୟାନ୍ୟ ସନ୍ବେଦନଶୀଳ ଅଙ୍ଗରେ ଇଟାରେ ଛେଚିଥିଲେ। ଦୀର୍ଘ ସମୟଧରି ଦୁର୍ବୃତ୍ତମାନେ କୁଆଡ଼େ ଇଟାରେ ଘନଘନ ଆକ୍ରମଣ କରିବାପରେ ଯୁବକଜଣକ ତଳେ ପଡ଼ିଯାଇଥିଲେ। ପ୍ରାୟ ଘଣ୍ଟାଏଧରି ଯୁବକ ଜଣକ ଗୁରୁତର ଅବସ୍ଥାରେ ସେଠାରେ ପଡ଼ିରହିଥିଲେ। ପରେ ସେକ୍ଟର-୩ ଥାନା ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା। ଆହତଙ୍କୁ ପ୍ରଥମେ ସିଡବ୍ଲ୍ୟୁଏସ୍‌ ଓ ପରେ ଆଇଜିଏଚ୍‌କୁ ନିଆଯାଇଥିଲା। ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ତାଙ୍କୁ କିଏ ଓ କାହିଁକି ଆକ୍ରମଣ କଲା ତାହା ସ୍ପଷ୍ଟ ହୋଇନି।