କଟକ: ବିଧାନସଭା ଆଗରେ ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତକ ହେଲେ ଦୁଷ୍ମନ୍ତ ଦାସ। ସେ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜ ଏବଂ ହସ୍ପିଟାଲ (ଏସ୍ସିବି)ରେ ଅବହେଳା ଅଭିଯୋଗ କରି ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ।
ସୂଚନା ମୁତାବକ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ପଙ୍କପାଳର ଯୁବକ ଦୁଷ୍ମନ୍ତ ଦାସ ଏସସିବିରେ ଚିକିତ୍ସା ଅବହେଳାକୁ ନେଇ ବିରୋଧ କରିବା ସହ ନିଜ ହାତ କାଟି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ପରେ ସେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତେବେ ଏହି ଘଟଣା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧର କରାଯାଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବଙ୍କ ନିର୍ଦ୍ଦେଶକ୍ରମେ ଗତ ମାସ ୧୬ ତାରିଖରେ ଦୁଷ୍ମନ୍ତଙ୍କୁ ଏସ୍ସିବିର ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ଏଠାରେ ଏକ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁଁ ସେ ଚାଲିବାକୁ ଅକ୍ଷମ ହୋଇପଡ଼ିଥିଲେ। ତାଙ୍କ ବାମ ଗୋଡ଼ ସଂପୂର୍ଣ୍ଣ ଭାବେ ଅଚଳ ହୋଇଯାଇଥିଲା। ରାଜ୍ୟ ସରକାରଙ୍କ ସହଯୋଗ ପରେ ସେ ସୁସ୍ଥ ହୋଇଯିବେ ବୋଲି ଆଶା ନେଇ ପୁଣି ବଡ଼ ମେଡିକାଲକୁ ଆସିଥିଲେ। ହେଲେ ମେଡିକାଲରେ ୨୧ ଦିନ ପଡ଼ିରହିବା ପରେ ମଧ୍ୟ ତାଙ୍କର ଚିକିତ୍ସା ହୋଇପାରି ନଥିଲା। ଶେଷରେ ଦୁଷ୍ମନ୍ତ ଜିଇବାକୁ ଆଉ ଚାହିଁ ନଥିଲେ।