ଛୁରୀ ଭୁସି ହତ୍ୟା ଉଦ୍ୟମ: ଅନ୍ତଃବୁଜୁଳା ଧରି ଡାକ୍ତରଖାନା ଆସିଲେ ଯୁବକ

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ମେରୁବନ୍ଧସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର ଗତକାଲି ରାତି ୧୨ଟାରେ ଅନିରୁଦ୍ଧ ନାୟକ ନାମକ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା ଉଦ୍ୟମ ହୋଇଛି। କବିସୂର୍ଯ୍ୟନଗର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ତଃନଳୀ ପଦାକୁ ଚାଲି ଆସିଥିବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ମିଳିଥିବା ସୂଚନାନୁସାରେ, ଅନିରୁଦ୍ଧ ଖାଇ ସାରିବା ପରେ ଘର ବାହାରକୁ ପରିସ୍ରା କରିବାକୁ ଆସିଥିଲେ। ଏହି ସମୟରେ ଏକ ଅଟୋ ଭିତରେ ପୂର୍ବରୁ ଲୁଚି ରହିଥିବା ମେରୁବନ୍ଧସାହିର ସାଗର ମାଝୀ ତାଙ୍କ ପେଟରେ ଛୁରାମାଡ଼ କରିଥିଲା। ଫଳରେ ଅନ୍ତଃନଳୀ ବାହାରକୁ ବାହାରି ଆସିଥିଲା। ତଥାପି ଅନିରୁଦ୍ଧ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅନ୍ତଃବୁଜୁଳାକୁ ହାତରେ ଧରି ମେଡିକାଲ୍ ଦୌଡ଼ିଥିଲେ। କିନ୍ତୁ ସେତେବେଳେ ଡାକ୍ତର ନଥିଲେ। ସେ ସେମିତି ଦୁଇ ହାତରେ ଅନ୍ତଃବୁଜୁଳା ଧରି ଫାର୍ମାସିଷ୍ଟ୍ ମଧୁସୂଦନ ପାତ୍ରଙ୍କୁ ତାଙ୍କ କ୍ୱାର୍ଟରକୁ ଯାଇ ଡାକିଥିଲେ। ଶ୍ରୀ ପାତ୍ର ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ଥିବାରୁ ଅନିରୁଦ୍ଧଙ୍କୁ ସଂଗେ ସଂଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।
ଘଟଣାକୁ ନେଇ ଏଯାଏ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଥାନାଧିକାରୀ ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି। ତେବେ ଅନୁଧ୍ୟାନ ବେଳ‌େ ଜଣାପଡ଼ିଛି, ଅନିରୁଦ୍ଧ ଭୁବନେଶ୍ବରରରେ ସିକ୍ୟୁରଟି ଗାର୍ଡ଼ ଭାବେ କାମ କରୁଛନ୍ତି। ଗତବର୍ଷ ସାଗର ସହ କୌଣସି କାରଣକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା। ଅନିରୁଦ୍ଧ ଥାନାର ଦ୍ବାରସ୍ଥ ହେବା ସହ ମାମଲା ମଧ୍ୟ ରୁଜୁ ହୋଇଥିଲା। ସାହିବାସିନ୍ଦାଙ୍କ ଉପସ୍ଥିତିରେ ପୁଲିସ ଉଭୟ ପକ୍ଷକୁ ଡାକି ଆପୋସ ସମାଧାନ କରିଥିଲା। ତେବ‌େ ଅନିରୁଦ୍ଧଙ୍କ ଉପରେ ରାଗ ସୁଝାଇବାକୁ ସାଗର ସୁଯୋଗ ଖୋଜୁଥିଲା। ଘର କାମ ପାଇଁ ଅନିରୁଦ୍ଧ କିଛିଦିନ ତଳେ ଗାଁକୁ ଆସିଥିଲେ। ଗତକାଲି ରାତିରେ ସାଗର ତାଙ୍କୁ ଆକ୍ରମଣ କରିଥିଲା।

ସମ୍ବନ୍ଧିତ ଖବର