ଖଲ୍ଲିକୋଟ : ୧୫ ଶହ ଟଙ୍କା ପରିଶୋଧ କରି ନପାରିବାରୁ କଟକ ସହରରେ ଜଣେ ଯୁବକଙ୍କ ହାତରେ ଦଉଡ଼ି ବାନ୍ଧି ଆଉ ଦୁଇଜଣ ଯୁବକ ବିଚ୍ ରାସ୍ତାରେ ଦୌଡ଼ାଇବା ଭଳି ସମ୍ବେଦନଶୀଳ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣା ମନରୁ ନଯାଉଣୁ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଇଲାକାରେ ଜଣେ ଯୁବକଙ୍କ ପ୍ରତି ଅମାନବୀୟ ବର୍ବରତା ସାମ୍ନାକୁ ଆସିଛି। ସମଲ ଗ୍ରାମରେ ସାମାନ୍ୟ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟୁନା ଜାଲିଙ୍କ ପୁଅ ରତ୍ନାକର ଜାଲି (୨୮)ଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ୩ ଜଣ ଯୁବକ ନିର୍ଧୁମ୍ ମାଡ଼ ମାରିଛନ୍ତି।
ଏନେଇ ଖଲ୍ଲିକୋଟ ଥାନାରେ କେସ୍ ନମ୍ବର ୬୧୨ ଅନୁସାରେ ଏକ ମାମଲା ରୁଜୁ ସହ ଉକ୍ତ ଗ୍ରାମର ଦୁଇଜଣ ଅଭିଯୁକ୍ତ ଭାଇ ତଥା ସ୍ବର୍ଗତ ଲଡ଼ୁ ଜାଲିଙ୍କ ପୁଅ କୃଷ୍ଣ ଜାଲି (୪୫) ଓ ରତ୍ନାକର ଜାଲି (୪୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନାନୁସାରେ, ରତ୍ନାକର (୨୮) ଗତକାଲି ରାତିରେ ଏକ ହୋଟେଲ୍ରୁ ଖାଦ୍ୟ ନେଇ ଗ୍ରାମର ସାଗର ଜାଲିଙ୍କ ସହ ବାଇକ୍ରେ ଘରକୁ ଫେରୁଥିଲେ। ଏହି ସମୟରେ ଅଭିଯୁକ୍ତ ଦୁଇଭାଇ ଓ ଆଉ ଜଣେ ଯୁବକ ତାଙ୍କୁ ଅଟକାଇଥିଲେ। ବାଇକ୍ରୁ ଘୋଷାଡ଼ି ଆଣିବା ସହ ଏକ ଖୁଣ୍ଟରେ ବାନ୍ଧି ନିର୍ଧୁମ୍ ମାଡ଼ ମାରିଥିଲେ। ଗ୍ରାମର କିଛି ଭଦ୍ରବ୍ୟକ୍ତି ରତ୍ନାକରଙ୍କୁ ଛାଡ଼ିବାକୁ ଅନୁରୋଧ କରିଥିଲେ ବି ସେମାନେ ଶୁଣି ନଥିଲେ। ପୁଲିସ କୌଣସି ସୂତ୍ରରୁ ସୂଚନା ପାଇ ପହଞ୍ଚି ରତ୍ନାକରଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଆଜି ଦୁଇଭାଇଙ୍କୁ ଗିରଫ କରାଯାଇଛି।