ରାୟଗଡା: ଜିଲ୍ଲାର ଚାନ୍ଦିଲି ଥାନା ଅନ୍ତର୍ଗତ ଥେରୁବାଲି ଫାଣ୍ଡିରେ ଖାକି ବର୍ଦ୍ଦିର ପରାକ୍ରମ ଦେଖାଇଛନ୍ତି ଜଣେ ମହିଳା ଅଧିକାରୀ। ଏକ ମାମଲା ସହିତ ଜଡ଼ିତ ଥିବା ଘଟଣାରେ ମହିଳା ଅଧିକାରୀ ଯୁବକଙ୍କୁ ନିସ୍ତୁକ ମାଡ଼ମାରି ଲହୁଲୁହାଣ କରିଦେଇଛନ୍ତି। ପୁଲିସ ହାତରେ ମାଡ଼ଖାଇ ଗୁରୁତର ଥିବା ବ୍ୟକ୍ତି ଜଣକ ହେଉଛନ୍ତି ରତିକାନ୍ତ କଣ୍ଟାବଂଶ। ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ପଚରାଉଚରା ପାଇଁ ଫାଣ୍ଡିକୁ ଡାକିଥିବା ଦୁଇ ଜଣ କୋଲନରା ବ୍ଲକର ଗୌଡ ନିଲିବାଡି ଗ୍ରାମର ନାଗେଶ୍ବର କଣ୍ଟାବଂଶ ସେହି ଗ୍ରାମର କିଛି ବ୍ୟକ୍ତିଙ୍କ ସହ ମିଶି ମହାତ୍ମଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାମ କରିଥିଲେ। କାମ କରିବା ପରେ ଟଂକାକୁ ନେଇ ଦୁହିଁଙ୍କ ମଧ୍ୟରେ ଟଣାଅଟରା ହୋଇଥିଲା। ତେବେ ନାଗେଶ୍ବର ନିଜର କାମରେ ଲଗାଇଥିବା ଟଂକା ମାଗିବାରୁ ତାଂକୁ ଅନ୍ୟ ଗୋଷ୍ଠୀର ଲୋକମାନେ ମାରପିଟ କରିଥିଲେ। ଏନେଇ ନାଗେଶ୍ବର ଚାନ୍ଦିଲି ଥାନାରେ ଏତଲା ଦାୟର କରିଥିଲେ। ଏତଲାକୁ ଭିତ୍ତି କରି ତ୍ରିପତୀ କଣ୍ଟାବଂଶ, ତ୍ରିନାଥ କଣ୍ଟାବଂଶ, ମୁନା କଣ୍ଟାବଂଶ ଏବଂ କାନ୍ତାରୁ କଣ୍ଟାବଂଶ ନାମରେ ମାମଲା ରୁଜୁ ହୋଇ କୋର୍ଟ ଚାଲାଣ କରାଯାଇଥିଲା। ପରେ ଏହି ଚାରି ଜଣ ବ୍ୟକ୍ତି ଜାମିନ ପାଇ ଘରକୁ ଫେରିବା ପରେ ପୁଣି ନାଗେଶ୍ବର କଣ୍ଟାବଂଶ ଏବଂ ତାଂକ ପୁଅ ରତିକାନ୍ତ ଉପରେ ଆକ୍ରମଣ କରିଥିଲେ।
ଏନେଇ ଚାନ୍ଦିଲି ଥାନାରେ ଅଭିଯୋଗ କରିବା ପରେ ଚାନ୍ଦିଲି ପୁଲିସ ଥେରୁବାଲି ଫାଣ୍ଡିକୁ ପଠାଇ ଦେଇଥିଲେ। ଥେରୁବାଲି ଫାଣ୍ଡିର ମହିଳା ଅଧିକାରୀ ଦୁଇ ଗୋଷ୍ଠୀଙ୍କୁ ଡାକି ଆପୋଷ ବୁଝାମଣା ପାଇଁ ଡାକିଲେ। ରତିକାନ୍ତ ଏବଂ ଅନ୍ୟ ଗୋଷ୍ଠୀର ଦୁଇ ଜଣଙ୍କୁ ଥାନାରେ ଭର୍ତ୍ତି କରି ମାଡ଼ମାରି ସବୁ ସତକଥା କହିବାକୁ ମହିଳା ଅଧିକାରୀ ଧମକ ଦେଉଥିଲେ। ତେବେ ରତିକାନ୍ତଙ୍କୁ ବାଡ଼ିରେ ପେଟରେ ପିଠିରେ ନିର୍ଦ୍ଧୁମ ମାଡ଼ ମାରିବା ଯୋଗୁଁ ସେ ଗୁରୁତର ହୋଇପଡିଥିଲେ। ପ୍ରଥମେ ବାପା ନାଗେଶ୍ବର ପୁଅ ରତିକାନ୍ତଙ୍କୁ କୋଲନରା ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ। ତେବେ ସେଠାରୁ ତୁରନ୍ତ ରାୟଗଡା ମେଡିକାଲକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଏବେ ରତିକାନ୍ତ ରାୟଗଡ଼ା ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି। ନାଗେଶ୍ବର ଅଭିଯୋଗ କରିଛନ୍ତି ଯେ ଆମେ ଅଭିଯୋଗ କରିଥିବା ବେଳେ ଆମକୁ କିପରି ମହିଳା ଅଧିକାରୀ ମାଡ଼ ମାରିଲେ ବୋଲି ପ୍ରଶ୍ନ କରିଛନ୍ତି। ଆପୋଷ ବୁଝାମଣା ନାମରେ ନିସ୍ତୁକ ମାଡ଼ ମାରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ନାଗେଶ୍ବର ପ୍ରଶ୍ନ କରିଛନ୍ତି। ତେବେ ଏନେଇ ମହିଳା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।