ମାଧପୁର: ହାତୀ ମୃତ୍ୟୁକୁ ନେଇ ଜଣେ ଲୋକଙ୍କୁ ମାନସିକ ନିର୍ଯାତନା ଦେଇଛନ୍ତି ବନ ବିଭାଗର ଅଧିକାରୀ। ଆଉ ଏହା ଅସହ୍ୟ ହେବାରୁ ସଂପୃକ୍ତ ବ୍ୟକ୍ତି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କିଆକଟାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଦୋଷୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନଷ୍ଠାନ ସହିତ ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରି ବନବିଭାଗ କାର୍ଯ୍ୟାଳୟ ଆଗରେ ଶବ ରଖି ରାସ୍ତା ଅବରୋଧ କରାଯାଇଛି। ପୁଲିସ ଓ ପ୍ରଶାସନ ପକ୍ଷରୁ ଏ ନେଇ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲେ ମଧ୍ୟ ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି।
ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ମାଧପୁର ରେଞ୍ଜ୍ କିଆକଟା ସେକ୍ସନ ଘୋଡ଼ାଗାଡ଼ି ବିଟ୍ ହାଉସ୍ ଅନ୍ତର୍ଗତ ମୁଣ୍ଡାପଡ଼ା ଗାଁ ନିକଟ ଖେସରା ଜଙ୍ଗଲରେ ଗତ ୧୫ ତାରିଖରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ହାତୀକୁ ମାରି ଦିଆଯାଇିବା ସନ୍ଦେହ କରି ବନ ବିଭାଗ କିଛି ଲୋକଙ୍କୁ ପଚରାଉଚରା କରିଥିଲା। ମୁଣ୍ଡାପଡ଼ା ଗାଁର ଦଶରଥ ନାଏକ(୪୫)ଙ୍କୁ ଗତ ୧୬ ତାରିଖରେ କିଆକଟାର ଭାରପ୍ରାପ୍ତ ବନପାଳ ଅନ୍ତର୍ଯ୍ୟାମୀ ସାହୁ, ବନରକ୍ଷୀ ଦାମୋଦର ପ୍ରଧାନ ବନପାଳଙ୍କ କାର୍ଯ୍ୟାଳୟକୁ ଡାକିଥିଲେ। ତାଙ୍କୁ ଏଠାରେ ପଚରାଉଚରା କରାଯାଇଥିଲା। ଏହାପରେ ଦଶରଥ ଘରକୁ ଫେରିଥିଲେ। କିନ୍ତୁ ଗତକାଲି ସେ ବିଷ ପିଇଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ସଦସ୍ୟ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।
ମୃତକଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀ ଅପରାହ୍ଣ ୨ଟାରୁ କିଆକଟା ବନପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୌଦ୍ଧ-ଆଠମଲ୍ଲିକ ରାସ୍ତାରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବାକୁ ଗ୍ରାମବାସୀ ଦାବି କରିଥିଲେ। ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ବୁଝାସୁଝା କରିଥିଲେ। ସନ୍ଧ୍ୟା ସାଢ଼େ ୫ଟାବେଳେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।