କେଇ ଘଣ୍ଟା ପରେ ବର ବେଶରେ ଯାଇ ବିବାହ କରିଥାନ୍ତେ ଯୁବକ, ବେକରେ ରସି ଲଗାଇ ଆତ୍ମହତ୍ୟା କଲେ

ବିନିକା: ଆଜି ସନ୍ଧ୍ୟାରେ ବାହାଘର ପାଇଁ ବର ବେଶରେ ଯାଇଥାନ୍ତେ ଯୁବକ। କୋଭିଡ-୧୯ କଟକଣା ମଧ୍ୟରେ ଆଜି ରାତିରେ ବାହାଘର ହୋଇଥାନ୍ତା। ଏଥିପାଇଁ ବନ୍ଧୁ ବାନ୍ଧବ ଓ ଘନିଷ୍ଠ ସଂପର୍କୀୟମାନେ ଘରକୁ ଆସିଯାଇଥିଲେ। କିନ୍ତୁ ବର ବେଶରେ ବିବାହ ପାଇଁ ଯିବା ପୂର୍ବରୁ ଜଣେ ଯୁବକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଧିନସ୍ଥ ବିଶାଲପାଲି ଗ୍ରାମରେ ଏହି ଅଭାବନୀ ଘଟଣା ଘଟିଛି। ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲେ ଭୋଜରାଜ ମେହେର ଓରଫ ପ୍ରଶନ୍ନ (୪୧)।

ସୂଚନା ଅନୁସାରେ ଏସ୍‌ ରାମପୁର ଗାଁର ଭୋଜରାଜ ମେହେର ଆଜି ବିଶାଲପାଲି ଗ୍ରାମ ନିକଟରେ ଥିବା ଗ୍ରୀଡ଼ ସମ୍ମୁଖ ଜଙ୍ଗଲରେ ଥିବା ଏକ ପଟାଗଛରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେହି ରାସ୍ତା ଦେଇ ଯାଉଥିବା ଲୋକେ ଯୁବକର ମୃତଦେହ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇଁ ଘଟଣାସ୍ଥଳକୁ ବିନିକା ଥାନା ଆଇଆଇସି ବସନ୍ତ କୁମାର ରଥ ଓ ଟିମ୍‌ ପହଂଚି ଶବକୁ ଜବତ କରିଛନ୍ତି। ପୁଲିସ ଝୁଲନ୍ତା ମୃତଦେହ ପାଖରେ ଥିବା ଏକ ମଟର ସାଇକେଲ ଓ ମୋବାଇଲକୁ ଜବତ କରିଛି। କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣା ପଡ଼ିନାହିଁ।

ପ୍ରସନ୍ନଙ୍କର ବିବାହ ପାଇଁ ଘରକୁ ସମସ୍ତ ବନ୍ଧୁ ବାନ୍ଧବ ଓ ସାଙ୍ଗ ସାଥି ପହଞ୍ଚି ସାରିଥିଲେ। ଆନନ୍ଦ ଉଲ୍ଲାସରେ ଘର ଫାଟି ପଡୁଥିଲା। ପ୍ରସନ୍ନଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପରିବାର ତଥା ଅଞ୍ଚଳ ସ୍ତବ୍ଧ ହୋଇଯାଇଛି। ବିନିକା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର