ଜେଲ୍‌କୁ ଫେରିଥା’ନ୍ତେ, ଆତ୍ମହତ୍ୟା କରିଦେଲେ; କରୋନା ପା‌ରୋଲରେ ଆସି ଘରେଥିଲେ ଆଜୀବନ କଏଦୀ

ମାହାଙ୍ଗା : ଆଜୀବନ ସଜା ଭୋଗୁଥିବା କଏଦୀ କରୋନା ପାରୋଲରେ ଘରକୁ ଆସିଥିଲେ। ଦୀର୍ଘ ଚାରିମାସ ଘରେ ରହିବା ପରେ ଶନିବାର ଥିଲା ଜେଲ୍‌ ଫେରିବା ଦିନ। କିନ୍ତୁ ପିଲାଛୁଆ ଓ ପରିବାରର ମୋହରେ ପଡ଼ି ଯାଇଥିବା କଏଦୀ ଜଣକ ଆଉ ଜେଲ୍‌ର ଚାରିକାନ୍ଥ ଭିତରକୁ ଯିବା ବଦଳରେ ଚରମ ନିଷ୍ପତ୍ତି ନେଇଥିଲେ। ଜେଲ୍‌ ଫେରିବା ଦିନ ହିଁ ବ୍ୟକ୍ତିଜଣକ ଏକ ଲୁଗା ସାହାଯ୍ୟରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡ଼ାଜୟପୁର ଫାଣ୍ଡି ଅଧୀନ ଭେଡ଼ା ପଞ୍ଚାୟତର ବରାହୀପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ମୃତ କଏଦୀ ହେଉଛନ୍ତି, ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ରାଜକିଶୋର ନାୟକ (୫୮)। ରାଜକିଶୋର ଦୀର୍ଘବର୍ଷ ଧରି ଶ୍ବଶୁର ଘର ବରାହୀପୁର ଗ୍ରାମରେ ଘରଜ୍ବାଇଁ ଭାବେ ରହୁଥିଲେ। ୨୦୦୮ ମସିହାରେ ତ୍ରିବେଣୀଶ୍ବର ବଜାର ନିକଟରେ ଏକ ବୋମାମାଡ଼ ଓ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସେ ଚୌଦ୍ବାର ସର୍କଲ ଜେଲ୍‌ରେ ଆଜୀବନ କଏଦୀ ଭାବେ ସଜା କାଟୁଥିଲେ। ଗତ ମେ ୨୧ ତାରିଖରେ କରୋନା ଯୋଗୁଁ ସେ ପାରୋଲରେ ଘରକୁ ଆସିଥିଲେ। ପାରୋଲ ଅବଧି ଶେଷ ହେବାରୁ ରାଜକିଶୋରଙ୍କର ଶନିବାର ଦିନ ଜେଲ୍‌ ଫେରିବାର ଥିଲା। ହେଲେ ସକାଳୁ ସେ ବେକରେ ଏକ ଲୁଗା‌ ସାହାଯ୍ୟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ମାହାଙ୍ଗା ଥାନା ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (କେସ୍‌ ନଂ-୧୬/୨୧) ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର