ଯୁବକଙ୍କ ଆତ୍ମହତ୍ୟା ଘଟଣା, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବୌଦ୍ଧ/ବାଉଁଶୁଣୀ : ଶନିବାର ବାଉଁଶୁଣୀ ଥାନା ବହିରା ଗ୍ରାମର ଏକ ନୀଳଗିରି ଗଛରେ ଗୁଡ଼ପଡ଼ା ଗ୍ରାମର ଜୟରାମ ବନଛୋର (୧୮ ବର୍ଷ)ଙ୍କ ଶବ ଝୁଲନ୍ତା ଅବସ୍ଥାରେ ପୁଲିସ୍‌ ଜବତ କରିଥିଲା। ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ଜୟରାମ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ମୃତକଙ୍କ ବାପା ବିନୟ ବନଛୋର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଜୟରାମ ପ୍ରତିଦିନ ଯିବା ଆସିବା କରି ବହିରା ଗାଁର ଏକ ଟ୍ରାକ୍ଟର ଚଳାଉଥିଲେ। ଶନିବାର ସକାଳେ ଟ୍ରାକ୍ଟର ମାଲିକ ବିନୟଙ୍କୁ ଫୋନ୍‌ କରି ଏକ ନୀଳଗିରି ଗଛରେ ତାଙ୍କ ପୁଅର ଶବ ଝୁଲୁଥିବା ସୂଚନା ଦେଇଥିଲେ। ପୁଅର ଝୁଲନ୍ତା ଶବ ଦେଖିବା ପରେ ଟ୍ରାକ୍ଟର ମାଲିକଙ୍କ ନିକଟକୁ ଯାଇ ବିନୟ ପଚରାଉଚୁରା କରିଥିଲେ। ମାଲିକ ଜଣକ କହିଥିଲେ କି, ସକାଳ ୬ଟାରେ ଜୟରାମଙ୍କୁ କାମକୁ ଆସିବା ପାଇଁ ଫୋନ୍‌ କରିଥିଲି। କିନ୍ତୁ, ବହିରା ଗ୍ରାମର ଜଣେ ଯୁବକ ଫୋନ୍‌ ଉଠାଇ ଜୟରାମ ବିଷୟରେ ଜାଣିନଥିବା କହିଥିଲେ।

ତେବେ ଶୁକ୍ରବାର ସନ୍ଧ୍ୟାରେ ଜୟରାମଙ୍କ ମୋବାଇଲ୍‌ରୁ ବିନୟଙ୍କ ମଝିଆ ପୁଅ ରାମଙ୍କ ‌ମୋବାଇଲକୁ ଫୋନ୍‌ ଆସିଥିଲା। ସାନଝାରକଟା ଗ୍ରାମର ଜଣେ ଯୁବକ କହିଥିଲା କି ଜୟରାମଙ୍କ ଫୋନ୍‌ ମୋ’ ପାଖରେ ଅଛି, ଆସି କି ନେଇଯାଅ। ସମଗ୍ର ଘଟଣାକୁ ‌ଦେଖିଲେ ଶୁକ୍ରବାର ସନ୍ଧ୍ୟାଠାରୁ ଅନ୍ୟ ଯୁବକମାନେ ଜୟରାମଙ୍କ ଫୋନ୍‌ ବ୍ୟବହାର କରିଥିବା ସ୍ପଷ୍ଟ ହେଉଛି। ଶୁକ୍ରବାର ସଂଧ୍ୟାରେ ଅନ୍ୟ ୩ଜଣ ଯୁବକଙ୍କ ସହ ଜୟରାମ ଭୋଜିଭାତ କରିଥିଲେ। ସେଠାରେ ତାଙ୍କୁ ମାରି ଆତ୍ମହତ୍ୟାର ରୂପ ଦେବାକୁ ନୀଳଗିରି ଗଛରେ ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି। ଏ ବିଷୟରେ ଆଇଆଇସି ସୁବାସ ଚନ୍ଦ୍ର ରାୟଗୁରୁଙ୍କୁ ପଚାରିବାରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର