କୋରାପୁଟ: ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସା ଅବହେଳାରୁ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିବାର ଲୋକେ ଏହି ଅଭିଯୋଗ ଆଣିଛନ୍ତି। ମୃତକ ଜଣକ ହେଲେ ପୁରୁଣା କୋରାପୁଟ ଅଞ୍ଚଳର ଅମିତ କୁମାର ଦାସ(୨୨)।  ତିନିଦିନ ତଳେ ତାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ପରିବାରବର୍ଗ ମେଡିକାଲରେ ଭର୍ତ୍ତି କରିଥିଲେ। ଗତକାଲି ରାତି ପ୍ରାୟ ୪ଟାବେଳେ ହଠାତ ଅମିତଙ୍କ ପେଟ କାଟିଥିଲା। ଏନେଇ ପରିବାରବର୍ଗ ରାତ୍ରୀକାଳୀନ ଦାୟିତ୍ବରେ ରହିଥିବା ଡାକ୍ତରଙ୍କୁ ଅବଗତ କରିଥିଲେ। କିନ୍ତୁ ଉପସ୍ଥିତ ଥିବା  ଡାକ୍ତର କେହିବି ରୋଗୀଙ୍କୁ ଦେଖିବାକୁ ଆସି ନ ଥିଲେ। କିଛି ସମୟରେ ଯୁବକଙ୍କର ମୃତ୍ୟୁ ହୋଇଯାଇଥିଲା।

Advertisment

ଯୁବକଙ୍କ ମୃତ୍ୟୁ ପରେ ପରିବାରବର୍ଗ ଶବକୁ ମେଡିକାଲ ସମ୍ମୁଖରେ ରଖି ନ୍ୟାୟ ଦାବି କରିଥିଲେ। ଦୀର୍ଘସମୟ ଧାରଣାରେ ହେବା ପରେ ଘଟଣାସ୍ଥଳରେ କୋରାପୁଟ ଟାଉନ ପୁଲିସ ଓ ଏଡିପିଓ ପହଞ୍ଚି ଉତ୍ତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଏହାପରେ ପ୍ରଶାସନପକ୍ଷରୁ ମୃତଙ୍କ ପରିବାରବର୍ଗଙ୍କୁ ୨୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ଏଥିରେ ଲୋକ ଅରାଜି ହୋଇ ନ୍ୟାୟ ମାଗିଥିଲେ। ଏନେଇ ଟାଉନଥାନାରେ ଦାୟିତ୍ବରେ ରହିଥିବା ତିନିଜଣ ଡାକ୍ତରଙ୍କ ନାମରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ୩୮/୨୧ରେ ଏକ ମାମଲା ରୁଜୁ କରିଛି।ଏହାସହ ଶବବ୍ୟବଚ୍ଛଦେ କରି ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଛି। ପୁଲିସ ରାତ୍ରୀକାଳୀନ ଦାୟିତ୍ବ‌ରେ ରହିଥିବା ଡ.ବାପୁଜି ବେହେରା, ଡ.ସୁବ୍ରତ ସାହୁ ଓ ଡ.ଦୀପକ ପ୍ରଧାନଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡିଛି।

ଅମିତଙ୍କ ଭିଣୋଇ ପ୍ରକାଶ ଚନ୍ଦ୍ର ବେନିୟାଙ୍କ କହିବାନୁଯାୟୀ ଅମିତକୁ ଡେଙ୍ଗୁ ହୋଇଥିବା ନେଇ ଏହିଠାରେ ଗତ ତିନିଦିନ ଧରି ଚିକିତ୍ସା ଚାଲିଥିଲା । କିନ୍ତୁ ଗତକାଲି ରାତିରେ ଅମିତର ସ୍ଥିତି ବିଗିଡି ଯାଇଥିଲେହେଁ କେହି ସେଥିପ୍ରତି ଦୃଷ୍ଟି ଦେଇନଥିଲେ। ଠିକ ସମୟରେ ଯଦି ହାକ୍ତର ଆସିଥାନ୍ତେ ତାର ମୃତ୍ୟୁ ଘଟି ନ ଥାନ୍ତା।

ଏନେଇଏସଡିପିଓ ଗୁଣନିଧି ମଲ୍ଲିକ କହିଛନ୍ତି ଯେ ପରିସ୍ଥିତି ଉପରେ ନଜର ରଖାଯାଇଛି। ପରିବାରବର୍ଗଙ୍କ ଅଭିଯୋଗକୁ ଭିତ୍ତିକରି ଆମେ ଏକ ମାମଲା ରୁଜୁ କରିଛୁ। ତଦନ୍ତ ଚାଲୁ ରହିଥିବାବେଳେ ଶବ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ସେ କହିଛନ୍ତି।

ତେବେ କାହିଁକି ଓ କେଉଁ କାରଣ ଯୋଗୁଁ ଡାକ୍ତର ଆସିଲେ ନାହିଁ। ଅବହେଳା ହୋଇଛି କି ନାହିଁ ତାହା ସିସିଟିଭିରୁ ଯାଞ୍ଚ କରାଯିବ। ଏହାସହ ଏକ ଟିମ ଗଠନ କରାଯାଇ ତଦନ୍ତ କରାଯିବ ବୋଲି ମେଡିକାଲ କର୍ତ୍ତୃୃପକ୍ଷ ସୂଚନା ଦ‌େଇଛନ୍ତି।