ବୀରମହାରାଜପୁର: ବାହାଘର ଭୋଜି ଖାଇସାରି ଘରକୁ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଦୁର୍ଜନତଇଲା ଗ୍ରାମ ପଂଚାୟତର ଗୋଘାଟ ଗାଁର ସୁବାସ ପଧାନ।

Advertisment

ସୂଚନା ଅନୁସାରେ ସୁବାସ ‌ପଧାନ ଆଜି ଅପରାହ୍‌ଣ ସମୟରେ ଏକ ବାହାଘର ଭୋଜି ଖାଇସାରି ମୁର୍ଷୁଣ୍ଢି ପାର୍ଶ୍ବରୁ ନିଜ ଘରକୁ ବାଇକ୍‌ରେ ଫେରୁଥିଲେ। ସେ ଭୁତିଆପାଲି କଲେଜ ନିକଟରେ ଗାଡ଼ିରୁ ଓହ୍ଲାଇ ପରିଶ୍ରା କରୁଥିଲେ। ଏହି ସମୟରେ ଏକ ଅଜଣା ବୋଲେରୋ ତାଙ୍କୁ ଧକ୍କାଦେଇ ଫେରାର ମାରିଥିଲା। ଖବର ପାଇ ବୀରମହାରାଜପୁରର ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା, ଚମ୍ପାମାଳ ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ, ସମାଜସେବୀ କିଶୋର କୁମାର ହୋତା ଓ ଅନ୍ୟମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ସୁବାସଙ୍କୁ ଦମକଳବାହିନୀର କର୍ମକର୍ତ୍ତା ସହୂ ଉଦ୍ଧାରକରି ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେହେଁ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁବାସ ବିବାହିତ ହୋଇଥିବାବେଳେ ତାଙ୍କର ଏକ ଛୋଟ ଛୁଆ ରହିଥିବା ମଧ୍ୟ ଜଣାପଡିଛି। ତାଙ୍କ ଏଭଳି ଦୁଃଖଦ ମୃତ୍ୟୁରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ବୀରମହାରାଜପୁର ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।