କୋରାପୁଟ: କୋରାପୁଟ ଓଏମପି ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଟ୍ରକ୍କୁ ଓଭରଟେକ କରିବା ଜଣେ ଯୁବ ବାଇକ୍ଚାଳକଙ୍କ ପାଇଁ କାଳ ହୋଇଛି। ଓଭରଟେକ୍ କରୁଥିବା ବେଳେ ଟ୍ରକ୍ ଚକା ତଳେ ପଡି ବାଇକ୍ ଚାଳକଙ୍କ ଜୀବନ ଯାଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇ କୋରାପୁଟ ବଡ଼ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ ସେମିଲିଗୁଡା ଗାନ୍ଧିନଗରର ଦୀପକ ଜେନା (୨୮) ଓ ଗୁରୁତର ବ୍ୟକ୍ତି ହେଲେ ସଞ୍ଜୟ ରାଉତ (୩୦)। ଘଟଣାସ୍ଥଳରେ ଟ୍ରକ ଛାଡି ଡ୍ରାଇଭର ଓ ହେଲ୍ପର ଫେରାର ହୋଇ ଯାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ ଆନ୍ଧ୍ର ନମ୍ବର ଥିବା ଟ୍ରକ ସେମିଲିଗୁଡାରୁ କୋରାପୁଟ ଆଡକୁ ଆସୁଥିବା ବେଳେ ଦୁଇ ବାଇକ ଆରୋହୀ ଦୀପକ ଓ ସଞ୍ଚୟ କୋରାପୁଟ ଆଡକୁ ଆସୁଥିଲେ। ଓଏମପି ନିକଟରେ ଥିବା ହମ୍ପସ ପାଖରେ ଟ୍ରକ୍କୁ ଓଭରଟେକ୍ କରୁଥିବା ବେଳେ ହଠାତ୍ ଟ୍ରକ୍ ଚକ ତଳେ ପଡ଼ି ଯାଇଥିଲେ।ଦୀପକ ଜେନାଙ୍କ ଉପରେ ଟ୍ରକ୍ ଚଢି ଯିବାରୁ ମୁଣ୍ଡରୁ ଗଣ୍ଡି ଅଲଗା ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ଦୀପକଙ୍କର ମୃତ୍ୟୁ ଘଟିଥିଲାବେଳେ ସଞ୍ଜୟ ଛିଟିକି ପଡିଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଓ ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ଅଧିକ ତଦନ୍ତ କରୁଛନ୍ତି।