ଜଳଖିଆ ଆଣିବେ ବୋଲି ଘରେ ଚାହିଁ ରହିଥିଲେ ପୁଅ-ଝିଅ, ଦ୍ରୁତଗାମୀ ବସ୍‌ ଧକ୍କାରେ ବାଇକ୍‌ ଆରୋହୀ ଯୁବକ ମୃତ

ଉଲୁଣ୍ଡା: ଦ୍ରୁତ ଗତି ମହା ବିପତ୍ତି। ଏହା ସମସ୍ତେ ଜାଣିଛନ୍ତି। କିନ୍ତୁ ଏହା ପରେ ବି ଲକ୍ଷ୍ୟ ସ୍ଥଳରେ ଶୀଘ୍ର ପହଞ୍ଚିବା ପାଇଁ ଗାଡ଼ି ଚାଳକମାନେ ଏହା ଜାଣି ମଧ୍ୟ ବଡ଼ ଭୁଲ କରିଥାନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ଏଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି। ସମ୍ବଲପୁରରୁ ବୀରମହାରାଜପୁର ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍‌ର ଚାଳକ ନିୟନ୍ତ୍ରଣ ହରାଇ ବାଇକ୍‌ ଆରୋହୀ ଯୁବକଙ୍କୁ ଶକ୍ତ ଧକ୍କା ଦେଇଛନ୍ତି। ଦୁର୍ଘଟଣା ଘଟାଇବା ପରେ ବସ୍‌ଟି ରାସ୍ତାକଡ଼ରେ ପାଣି ନ ଥିବା ଏକ ଶୁଷ୍କ ପୋଖରୀରେ ଓଲଟିପଡ଼ିଛି। ତେବେ ଘଟଣାସ୍ଥଳରେ ହିଁ ସଂପୃକ୍ତ ବାଇକ୍‌ ଆରୋହୀ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଅଭି ସାହୁ (୩୪)।

ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ହେବ ବୀରମହାରାଜପୁର ଥାନା ଅନ୍ତର୍ଗତ ଧର୍ମଶାଳା ଫାଣ୍ଡି ଅନ୍ତର୍ଗତ ନାଏକପଡ଼ା ଗାଁର ଅଭି ସାହୁ ଗାଁର ଛକରେ ଥିବା ଜଳଖିଆ ଦେକାନକୁ ଯାଇଥିଲେ। ସେଠାରେ ତାଙ୍କର ଜଣେ ସାଙ୍ଗ ଜଳଖିଆ ଦୋକାନ କରିଥିଲେ। ଅଭି ଯେଉଁ ଦୋକାନକୁ ଯାଇଥିଲେ, ସେଠାରେ ସେ ମଧ୍ୟ କାମ କରନ୍ତି। ସନ୍ଧ୍ୟା ସମୟ ହୋଇଥିବାରୁ ସେ ଜଳଖିଆ ଖାଇ, ଘରେ ଥିବା ସ୍ତ୍ରୀ ଓ ୧୦ ଓ ୮ ବର୍ଷ ବୟସର ପୁଅ-ଝିଅଙ୍କ ପାଇଁ ନେଇକି ଯାଉଥିଲେ। ଏହି ସମୟରେ ସମ୍ବଲପୁର ପାର୍ଶ୍ବରୁ ଏକ ଘରୋଇ ବସ୍‌ ‘ପତି ଟ୍ରାଭେଲ୍ସ (ଓଡି ୦୫ଏସ୍‌ ୪୦୦୩)’ ଅଭିଙ୍କୁ ଶକ୍ତ ଧକ୍କା ଦେଇଥିଲା। ଏହା ପରେ ବସ୍‌ର ଚାଳକ ଅନିୟନ୍ତ୍ରିତ ହୋଇ ରାସ୍ତକଡ଼ରେ ପାଣି ନ ଥିବା ପୋଖରୀକୁ ଓଲଟି ପଡ଼ିଥିଲା।

ତେବେ ବସ୍‌ର ଧକ୍କା ଖାଇଥିବା ବାଇକ୍‌ ଚାଳକ ଅଭି ସାହୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ବସ୍‌ରେ ଥିବା ପ୍ରାୟ ୧୦ ଜଣ ଯାତ୍ରୀଙ୍କ ମଧ୍ୟରୁ କିଛି ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଓ ବାଇକ୍‌ ଜବତ କରିଥିଲା ବେଳେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ରହିଛି। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଛନ୍ତି। ନାଏକପଡ଼ା ଠାରେ ବୀରମହାରାଜପୁର-ସମ୍ବଲପୁର ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଲୋକଙ୍କର ଭିଡ ଲାଗି ରହିଛି। ରିପୋର୍ଟ ଲେଖାଯିବା ବେଳକୁ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ନାହାନ୍ତି।

 

ସମ୍ବନ୍ଧିତ ଖବର