ନଦୀରେ ପହଁରା ଶିଖିବା ମହଙ୍ଗା ପଡ଼ିଲା, ବୁଢାବଳଙ୍ଗର ଡେଥ ଜୋନ୍‌ରେ ବୁଡ଼ି ପୁଣି ଜଣେ ଯୁବକଙ୍କ ମୃତ୍ୟୁ

ବଡ଼ଭାଇ ସମ୍ମୁଖରେ ଜୀବନ ହାରିଲେ ସାନଭାଇ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ବୁଢ଼ାବଳଙ୍ଗ ନଦୀରେ ପହଁରା ଶିଖୁଥିବା ବେଳେ ଆଜି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ବାଙ୍ଗିରିପୋଷି କାଳିଆମି ନିକଟସ୍ଥ ବୁଢାବଳଙ୍ଗ ନଦୀରେ ସାଙ୍ଗମାନଙ୍କ ସହିତ ପହଁରା ଶିଖୁଥିବା ବେଳେ ଅର୍ମାନ ହୋତା (୨୦) ନାମକ ଜଣେ ଯୁବକ ପ୍ରାଣ ହରାଇଛନ୍ତି।

ସୂଚନା ଅନୁସାରେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ରହୁଥିବା ଶିକ୍ଷକ କମୋଲ ହୋତାଙ୍କ ସାନ ପୁଅ ଅର୍ମାନ ହୋତା ଆଜି ୫ ଜଣ ସାଙ୍ଗଙ୍କ ସହିତ ବୁଢ଼ାବଳଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସାଙ୍ଗମେଳିରେ ଅର୍ମାନଙ୍କ ବଡ଼ଭାଇ ମଧ୍ୟ ଥିଲେ। ସେ ଅନ୍ୟ ସାଙ୍ଗମାନଙ୍କ ସହିତ ପହଁରା ଶିଖୁଥିବା ସମୟରେ ଏକ ଭଅଁରରେ ପଡିଯାଇଥିଲେ। ଭଅଁରରେ ପାଣି ଚକାଭଉଁରୀ ଖେଳୁଥିବାରୁ ଅର୍ମାନ ବୁଡିଯାଇଥିଲେ। ଅର୍ମାନ ପାଣିରେ ବୁଡିଯିବା ପରେ ସାଙ୍ଗମାନେ ଚିତ୍କାର କରିଥିଲେ। ସଂଗେ ସଂଗେ ସ୍ଥାନୀୟ ଗ୍ରାମବାସୀ ଅଳ୍ପ ସମୟ ମଧ୍ୟରେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଅର୍ମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ଅର୍ମାନ ଜଣେ ମେଧାବୀ ଛାତ୍ର ଓ ସେ ଚଳିତ ବର୍ଷ ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ବାଙ୍ଗିରିପୋଷି ବଜାରରେ ଶୋକର ଛାୟା ଖେଳିଯାଇଛି।

ଗତବର୍ଷ ମଧ୍ୟ ଜଣେ ସ୍ଥାନୀୟ ଯୁବକ ବୁଢ଼ାବଳଙ୍ଗର କାଳିଆମି ଠାରେ ବୁଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ତେଣୁ ଉକ୍ତ ସ୍ଥାନକୁ ପ୍ରଶାସନ ତରଫରୁ ଡେଥ ଜୋନ ଘୋଷଣା କରିବା ସହିତ ସତର୍କ ସୂଚନା ଫଳକ ଲଗାନ୍ତୁ ବୋଲି ଦାବି ହୋଇଛି।

ସମ୍ବନ୍ଧିତ ଖବର